ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଷାକ ସିଲେଇ କରି ଏବେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଚାରିଛକ ଗାଁର ମହିଳା।

(ବୌଦ୍ଧରୁ ଦେବବ୍ରତ ଦାଶ): ସଶକ୍ତ ହେଉଛନ୍ତି ମହିଳା। ଆତ୍ମନିର୍ଭରଶୀଳ କରୁଛି ମିଶନ ଶକ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ସଦରମହକୁମା ଚାରିଛକ ଗାଁରେ। ବିଭିନ୍ନ ଡିଜାଇନର ପୋଷାକ ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁରେ ଥିବା ମା’ସନ୍ତୋଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ।  

ଏହି ଗୋଷ୍ଠୀର ୪ଜଣ ସଦସ୍ୟ ପ୍ରଥମେ ବିଭିନ୍ନ ଡିଜାଇନର ପୋଷକ ସିଲେଇ ପାଇଁ ତାଲିମ ନେଇଥିଲେ। ପରେ ଚାରିଛକ ବଜାରରେ ତିନୋଟି ସିଲେଇ ମେସିନ ଆଣି ମହିଳାଙ୍କ ପୋଷାକ ସିଲେଇ ବ୍ୟବସାୟ ଆରମ୍ଭ କରିଥିଲେ। ଏଥିପାଇଁ ୨୦୧୯ ମସିହାରେ ୨ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିଥିଲା।

“ସିଲେଇ ତାଲିମ ନେଇଥିବା ସଦସ୍ୟମାନେ ଗ୍ରୁପର ଅନ୍ୟ ସଦସ୍ୟ, ସ୍ଥାନୀୟ ଅଞ୍ଚଳର ଯୁବତୀ, ଅସହାୟ ମହିଳା ଓ ଗୃହିଣୀମାନଙ୍କୁ ମାଗଣାରେ ସିଲେଇ ଶିଖାଇଥିଲେ। ଯାହାଫଳରେ ଗ୍ରୁପର ସଦସ୍ୟମାନେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି”, କହିଛନ୍ତି ଏସଏଚଜି ମହିଳା ସଭାପତି ସବିତା ବାଘ।

ପ୍ରତିବର୍ଷ ଚାରିଛକ ଗାଁର ମହିଳାମାନେ ପ୍ରଶାସନ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପୋଷାକ ଯୋଗାଇ ଭଲ ଦୁଇପଇସା ରୋଜଗାର କରୁଛନ୍ତି। ଯାହା ସେମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିପାରିଛି। ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ୨୫ଟି ସ୍କୁଲରୁ ପୋଷାକ ସିଲେଇ କାମ ମିଳିଥିବାରୁ ବେଶ ଖୁସିବ୍ୟକ୍ତ କରିଛନ୍ତି ଗ୍ରୁପର ସଦସ୍ୟମାନେ।ବର୍ତ୍ତମାନ ସ୍କୁଲ ପୋଷାକ ସିଲେଇ କାମ ଅଧିକ ଥିବାରୁ ସେହି ଅନୁସାରେ କାରିଗରଙ୍କ ଆବଶ୍ୟକତା ପଡୁଛି। ତେଣୁ ଏହି ଗୋଷ୍ଠୀ ପକ୍ଷରୁ ସ୍ଥାନୀୟ ଯୁବତୀ ଓ ମହିଳାଙ୍କୁ ମାଗଣାରେ ତାଲିମ ଦେଇ ସେମାନଙ୍କୁ ସିଲେଇ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଫଳରେ ସେମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି।

Tags: #Boudh #SHG #MissionSakti #WomenEmpowerment

LEAVE A REPLY

Please enter your comment!
Please enter your name here