ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣେଶ ଭଗବାନଙ୍କର ମୋଦକ ପ୍ରିୟ କାହିଁକି, ତା’ ପଛରେ ରହିଛି ଅନେକ କାହାଣୀ

ଗଣେଶ ପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କୁ ଘରେ ଘରେ ପୂଜା କରାଯାଏ। ଗଣେଶ ପୂଜାକୁ ଗଣେଶ ଚତୁର୍ଥୀ ବୋଲି ମଧ୍ୟ କୁହାଯାଏ। ଏହି ଦିନ ଗଣେଶ ଭଗବାନଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ। ସବୁ ଭୋଗ ଭିତରୁ ଗଣେଶଙ୍କର ଅତି ପ୍ରିୟ ଭୋଗ ହେଉଛି ମୋଦକ। ତେବେ ଗଜାନନଙ୍କର ମୋଦକ ଏତେ ପ୍ରିୟ କାହିଁକି ତା’ ପଛରେ ଅନେକ କାହାଣୀ ରହିଛି।

ମୋଦକ ପ୍ରିୟ ଶ୍ରୀ ଗଣେଶ

ସବୁ ପ୍ରକାର ମିଠା ଭିତରେ ଲମ୍ବୋଦରଙ୍କ ଅତିପ୍ରିୟ ହେଉଛି ମୋଦକ। ମୋଦକ ବିନା ଗଜାନନଙ୍କ ଆବାହାନ ଅସମ୍ପୂର୍ଣ୍ଣ ବୋଲି ମନେ କରାଯାଏ। ମୋଦକ ଭୋଗ ହିଁ ଗଣପତିଙ୍କ ମନକୁ ପ୍ରସନ୍ନ କରିପାରେ ବୋଲି ମଧ୍ୟ ଅନେକଙ୍କର ବିଶ୍ଵାସ ରହିଛି। ତେଣୁ ଗଣେଶଙ୍କୁ ‘ମୋଦକ ପ୍ରିୟ’ ବୋଲି ମଧ୍ୟ ସମ୍ବୋଧନ କରାଯାଏ।

ବିଘ୍ନ ବିନାଶକ ଗଣେଶଙ୍କର ମୋଦକ କାହିଁକି ଏତେ ପ୍ରିୟ? ଏହାକୁ ନେଇ ରହିଛି ଅନେକ କାହାଣୀ। ପୌରାଣିକ କଥା ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଅନୁସୟା (ୠଷି ଅଟ୍ରିଙ୍କ ସ୍ତ୍ରୀ) ଭଗବାନ ଶିବ, ମାତା ପାର୍ବତୀ ଓ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ଆଶାରେ ନିଜ କୁଟୀରକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରିତ ଅତିଥିଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା ପାଇଁ ଦେଲେ। କିନ୍ତୁ ଗଣେଶଙ୍କ ପେଟ ପୂରିଲା ନାହିଁ। ଯାହା ପରଶାଗଲା ସେ ସବୁ ଖାଇ ଯାଉଥିଲେ। ପରିଶେଷରେ ଗଣେଶଙ୍କୁ ମିଠାରେ ମୋଦକ ଖାଇବାକୁ ଦିଆଗଲା। ଯାହା ଖାଇବା ପରେ ତାଙ୍କ ପେଟ ପୂରିଥିଲା। ସେ ସନ୍ତୁଷ୍ଟ ହୋଇଯାଇଥିଲେ। ଏହା ଦେଖି ମାତା ପାର୍ବତୀ ଏହି ମିଠା ବିଷୟରେ ଜାଣିବାକୁ ଚାହିଁଥିଲେ ଏବଂ ମୋଦକ ତିଆରି କରିବାର ବିଧି ଶିଖିଥିଲେ।କିନ୍ତୁ ପଦ୍ମପୁରାଣରେ ଗଣେଶଙ୍କ ମୋଦକ ପ୍ରିୟ ହେବା ପଛରେ ଅନ୍ୟ ଏକ କାହାଣୀ ରହିଛି। ଦିନେ ସମସ୍ତ ଦେବୀ ଦେବତା ମିଶି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଭେଟ କରିବା ପାଇଁ କୈଳାଶ ପର୍ବତ ଯାଇଥିଲେ। ସେମାନେ ଏକ ମୋଦକ ଭେଟ ସ୍ଵରୂପ ସାଥୀରେ ନେଇଥିଲେ। ଏହାକୁ ଖାଇବା ବ୍ୟକ୍ତି ଶାସ୍ତ୍ର, କଳା, ବିଜ୍ଞାନ, କଳା ଓ ଲେଖନୀରେ ପାରଙ୍ଗମ ଓ ବୁଦ୍ଧିମାନ ହୋଇପାରିବ ବୋଲି ସେମାନେ କହିଥିଲେ।

ଏହା ଶୁଣି ମାତା ପାର୍ବତୀ ଏହାକୁ ଦୁଇ ପୁଅ କାର୍ତ୍ତିକ ଓ ଗଣେଶଙ୍କ ଭିତରେ ସମାନ ଭାଗ ବାଣ୍ଟି ଦେବେ ବୋଲି ଭାବିଲେ। କିନ୍ତୁ ଦୁଇ ଭାଇ ଏହାକୁ ଭାଗ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ତେଣୁ ପାର୍ବତୀ ଏକ ଉପାୟ ଖୋଜି ବାହାର କଲେ। ଯିଏ ଯେତେ ଅଳ୍ପ ସମୟ ମଧ୍ୟରେ ପୃଥିବୀ ପରିକ୍ରମା କରି ଆସିବ ସେ ହେବ ଶ୍ରେଷ୍ଠ। ଆଉ ତାକୁ ହିଁ ପୁରସ୍କାର ସ୍ଵରୂପ ମିଳିବ ଏହି ମୋଦକ।ଏହା ଶୁଣି କାର୍ତ୍ତିକ ନିଜ ବାହାନରେ ବସି ତୁରନ୍ତ ପୃଥିବୀ ପରିକ୍ରମା କରିବାକୁ ବାହାରି ଗଲେ। କିନ୍ତୁ ଗଣେଶ ଥିଲେ ଅତ୍ୟନ୍ତ ବୁଦ୍ଧିମାନ। ସେ ଶିବ-ପାର୍ବତୀଙ୍କ ଚାରିପାଖେ ପରିକ୍ରମା କରିଥିଲେ। ପୃଥିବୀର କୌଣସି ସ୍ଥାନ ପିତା-ମାତାଙ୍କ ସହିତ ସମାନ ହୋଇପାରିବ ନାହିଁ। ଏହା ଶୁଣି ପାର୍ବତୀ ଖୁସି ହୋଇ ଗଣେଶଙ୍କୁ ମୋଦକ ପୁରସ୍କାର ସ୍ଵରୂପ ଦେଇଥିଲେ।

କେମିତି ପ୍ରସ୍ତୁତ ହୁଏ ମୋଦକ

ପ୍ରଥା ଅନୁଯାୟୀ ୨୧ ପ୍ରକାର ମୋଦକ ପରସାଯାଏ ଲମ୍ବୋଦରଙ୍କୁ ଭୋଗ ଆକାରରେ। ମୋଦକକୁ ଚାଉଳ ଗୁଣ୍ଡ, ଅଟା କିମ୍ବା ମଇଦା ଭିତରେ ନଡ଼ିଆ ଓ ଗୁଡ଼ ମିଶ୍ରିତ ପୂର ଦିଆଯାଇ ପ୍ରସ୍ତୁତ କରାଯାଏ। ଏହା ପରେ ମୋଦକକୁ ଷ୍ଟିମ୍ କରାଯାଏ କିମ୍ବା ଛଣା ହୁଏ। ପରିଶେଷରେ ଏହା ଉପରେ ଶୁଦ୍ଧ ଘିଅର ଏକ ମୋଟା ପରତ ଲଗାଇ ଭୋଗ ଆକାରରେ ପୂଜା ହୁଏ।

ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ଗୋଆରେ ଗଣେଶ ପୂଜା ଖୁବ୍ ଧୁମଧାମରେ ପାଳନ କରାଯାଏ। ବିଭିନ୍ନ ଜାଗାରେ ମୋଦକର ଭିନ୍ନ ଭିନ୍ନ ନାମ ରହିଛି। ଯେପରିକି ତାମିଲ ଭାଷାରେ ‘କୋଜାକାଟାଇ’, କନ୍ନଡରେ ‘ମୋଦକ ବା କଡୁବୁ’ ଏବଂ ତେଲୁଗୁ ଭାଷାରେ ଏହାକୁ ‘କୁଡୁମୁ’ ବୋଲି କୁହାଯାଏ।

Tags: #GaneshChaturthi #GaneshPuja #Celebration #ModakLadoo #Festival

LEAVE A REPLY

Please enter your comment!
Please enter your name here