ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୁକ୍ରବାରଠାରୁ ଘରୋଇ ବସ୍ ଚଳାଚଳ ବନ୍ଦ। ଅନିର୍ଦିଷ୍ଟ କାଳ ଯାଏଁ ଆରମ୍ଭ ହୋଇଥିବା ଏହି ବସ ଧର୍ମଘଟର ପ୍ରଭାବ ସିଧାସଳଖ ଯାତ୍ରୀଙ୍କ ଉପରେ ପଡ଼ିଛି। ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ବସ ମିଳୁନଥିବାରୁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି।
ସେହିପରି ରାଜ୍ୟରେ ସରକାରୀ ଓ ମୋ ବସ ଚଳାଚଳ କରୁଥିଲେ ମଧ୍ୟ ଏଥିରେ ପ୍ରବଳ ଭିଡ଼ ହେଉଛି। ବସକୁ ଅପେକ୍ଷା କରି ଯାତ୍ରୀମାନେ ବିଭିନ୍ନ ବସଷ୍ଟାଣ୍ଡରେ ବସି ରହିଛନ୍ତି। ତେବେ ବସ ଧର୍ମଘଟ ଯୋଗୁଁ ଅନେକ ଲୋକ ନିଜ ସୁବିଧାରେ ଅନ୍ୟାନ୍ୟ ମାଧ୍ୟମରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଅନ୍ତର୍ଗତ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳକୁ ବିରୋଧ କରି ୨୦ ତାରିଖରୁ ବସ୍ ଧର୍ମଘଟ କରିବା ଲାଗି ଘୋଷଣା କରିଥିଲା ଘରୋଇ ବସ ମାଲିକ ସଂଘ। ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସକୁ ସାମିଲ କରିବା ଏବଂ ମୋ ବସ ଚଳାଚଳକୁ କେବଳ ସହରାଞ୍ଚଳରେ ସୀମିତ ରଖିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।
ଏହାକୁ ନେଇ ଗୁରୁବାର ଦିନ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ସଂଘ ଶୁକ୍ରବାର ସକାଳ ୬ଟାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଆରମ୍ଭ କରିଛି।
ପାର୍ବଣ ପାଇଁ ଶୁକ୍ରବାରଠାରୁ ରାଜ୍ୟରେ ସ୍କୁଲ, କଲେଜ ଛୁଟି ହେଉଥିବା ଯୋଗୁଁ ଅନେକ ଲୋକ ଘର ମୁହାଁ ହୋଇଛନ୍ତି। ହେଲେ ଏହି ସମୟରେ ଘରୋଇ ବସ ସେବା ବନ୍ଦ ହେବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି।
Tags: #PrivateBusStrike #BusServices #Passengers #Odisha









