ଓଡ଼ିଶାଲାଇଭ୍ ବ୍ୟୁରୋ

- ଷ୍ଟ୍ରୋକ ସମ୍ପର୍କରେ ଘରେ ଘରେ ସଚେତନତାର ବାର୍ତ୍ତା ପହଞ୍ଚିବା ଦରକାର – ମେୟର
- ଷ୍ଟ୍ରୋକ ନିୟନ୍ତ୍ରଣ, ପ୍ରତିଷେଧକ ଓ ପରିଚାଳନା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ – ସ୍ୱାସ୍ଥ୍ୟ ନିର୍ଦେଶକ
(ଭୁବନେଶ୍ୱର): ବ୍ରେନ୍ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ଓଡ଼ିଶାରେ ଏହାର ମୁକାବିଲା କିପରି କରାଯାଇ ପାରିବ ସେନେଇ ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞମାନଙ୍କୁ ଏକାଠିକରି ବିଶ୍ୱ ଷ୍ଟ୍ରୋକ ଦିବସ ପୂର୍ବରୁ ଏକ ରାଜ୍ୟସ୍ତାରୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ସଚେତନତା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଭୁବନେଶ୍ୱରଠାରେ ଶୁକ୍ରବାର ଦିନ ଏକ ବିଶେଷ ବୈଷୟିକ ଆଲୋଚନାଚକ୍ର ତଥା କନକ୍ଲେଭ କରାଯାଇଥିଲା।
‘‘ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକ ଭଳି ବିଭିନ୍ନ ଅଣସଂକ୍ରାମକ ରୋଗର ମାତ୍ରା ବଢ଼ିଚାଲିଛି। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ଷ୍ଟ୍ରୋକ ଦ୍ୱାରା ପ୍ରଭାବିତ ହେଉଛନ୍ତି। ତେଣୁ ଆମେ ସମସ୍ତେ ଷ୍ଟ୍ରୋକର ଲକ୍ଷଣ ଜାଣିବା ସହ ଠିକଣା ସମୟରେ ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା କରିପାରିଲେ ଷ୍ଟ୍ରୋକର ପ୍ରଭାବକୁ ମୁକାବିଲା କରିପାରିବା’’, ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ।

ଷ୍ଟ୍ରୋକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରୁଥିବାରୁ ସେ ଆଇଏଫ୍ଆଇ ଫାଉଣ୍ଡେସନ ସହିତ ଏହାର ପାର୍ଟନରମାନଙ୍କୁ ପ୍ରଶଂସା କରିଥିଲେ।
ଓଡ଼ିଶାରେ ଷ୍ଟ୍ରୋକଜନିତ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଫାଉଣ୍ଡେସନ ନିଜ ପକ୍ଷରୁ ୨୦ ହଜାର ଆମେରିକୀୟ ଡଲାର ପାଣ୍ଠି ବ୍ୟବସ୍ଥା କରିବ। ଏ ବିଷୟରେ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦେଶକ ସିଦ୍ଧାର୍ଥ ରଥ ଘୋଷଣା କରି କହିଛନ୍ତି, ଓଡ଼ିଶା ସହ ପରବର୍ତ୍ତି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ ଲାଗି ପଦକ୍ଷେପ ନିଆଯିବ। ଏଥିଲାଗି ସହଯୋଗ କରିବାକୁ ସେ ବିଭିନ୍ନ ଜାତିସଂଘ ସଂଗଠନ, ସରକାର ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ପ୍ରମୁଖ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଛନ୍ତି।
ଏହି କନକ୍ଲେଭରେ ‘ଷ୍ଟ୍ରୋକ ମୁକାବିଲା ପାଇଁ ଏକାଠି ହେବା’ ଶୀର୍ଷକରେ ଏକ ବୈଷୟିକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନ୍ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ୍ ଭୁବନେଶ୍ୱରର ନିର୍ଦେଶକ ଡକ୍ଟର ଶ୍ରୀଧର ମୁରଲୀଧରରାଓ କଦମ, ଆରଏମଆରସି ଭୁବନେଶ୍ୱରର ବୈଜ୍ଞାନିକ ଡାକ୍ତର ଶ୍ରୀକାନ୍ତ କାନୁନଗୋ ଏବଂ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ, ଭୁବନେଶ୍ୱର ସଂସ୍କରଣର ବରିଷ୍ଠ ବାର୍ତ୍ତା ସମ୍ପାଦକ କସ୍ତୁରୀ ରାୟ ପ୍ରମୁଖ ଯୋଗଦେଇ ଷ୍ଟ୍ରୋକର ପ୍ରତିଷେଧକ ଓ ସଫଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ। ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥ ଅଧିବେଶନ ସଞ୍ଚାଳନ କରିଥିଲେ।
କାର୍ଯ୍ୟକ୍ରମର ବିଶେଷ ଅଧିବେଶନରେ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟ୍ରୋକ ଭଳି ଏକ ଜଟିଳ ସମସ୍ୟାର ମୁକାବିଲା ଲାଗି ସରକାରଙ୍କ ସହ ଜନସ୍ୱାସ୍ଥ୍ୟ ଗବେଷଣା ଅନୁଷ୍ଠାନ, ଘରୋଇ ହସ୍ପିଟାଲ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ – ସମସ୍ତଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ତଥା ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସେହିପରି ଅଭିଯାନର ପରାମର୍ଶଦାତା କେୟାର ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ନ୍ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା ଏବଂ ଡାକ୍ତର ଶ୍ରୀଧର ମୁରଲୀଧରରାଓ କଦମ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ସିଦ୍ଧାର୍ଥ ମିଶ୍ର ଏହି କନକ୍ଲେଭର ସଞ୍ଚାଳନ କରିଥିବା ବେଳେ ସ୍ୱାସ୍ଥ୍ୟପ୍ଲସର ଅନ୍ୟତମ ପ୍ରଯୋଜିକା ସୁଶ୍ରୀସ୍ମିତା ବେହେରା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ଷ୍ଟ୍ରୋକମୁକ୍ତ ଜୀବନ’ ଉପରେ ପ୍ରସ୍ତୁତ ସ୍ୱତନ୍ତ୍ର ସୂଚନାପତ୍ର ଉନ୍ମୋଚନ କରାଯାଇ ବଣ୍ଟନ କରାଯାଇଥିଲା।
ଆରଏମଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ) ଏବଂ କେୟାର ହସ୍ପିଟାଲସ୍, ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି।
ସାରା ବିଶ୍ୱରେ ପ୍ରତିବର୍ଷ ଷ୍ଟ୍ରୋକରେ ପ୍ରାୟ ୧୫ ନିୟୁତ ବ୍ୟକ୍ତି ପ୍ରଭାବିତ ହେଉଥିବା ବେଳେ ସେମାନଙ୍କ ଭିତରୁ ୫ ନିୟୁତ ମୃତ୍ୟୁବରଣ କରୁଛନ୍ତି। ସେହିପରି ଆଉ ୫ ନିୟୁତ ରୋଗୀ ବିଭିନ୍ନ ପ୍ରକାର ଗୁରୁତର ଶାରୀରିକ ଓ ମାନସିକ ଅକ୍ଷମତାର ଶିକାର ହେଉଛନ୍ତି। ତେବେ ୯୦ ଭାଗ ଘଟଣାରେ ଷ୍ଟ୍ରୋକକୁ ଏଡ଼ାଇ ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିଲେ ଷ୍ଟ୍ରୋକ ମୃତ୍ୟୁ ଉପରେ ନିୟନ୍ତ୍ରଣ ଆଣିବା ସହ ହଜାର ହଜାର ଘଟଣାରେ ଏହାକୁ ରୋକାଯାଇ ପାରିବ।
ଷ୍ଟ୍ରୋକର ପ୍ରଭାବ ଓ ଏହାର ମୁକାବିଲା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖ ଦିନ ବିଶ୍ୱ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି। ଏହାର ନେତୃତ୍ୱ ନେଉଥିବା ବିଶ୍ୱ ଷ୍ଟ୍ରୋକ ସଙ୍ଗଠନର ସଦସ୍ୟ ରହିଛି ଆଇଏଫ୍ଆଇ ଫାଉଣ୍ଡେସନ।
Tags: #WorldStrokeDay #StrokeAwareness #StrokeFreeWorld #CanbePrevented #IFIFoundation #Swasthyaplus


















