ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ରାଜ୍ୟପାଳ ଭାବେ ଶୁକ୍ରବାର ହେଉଛି ତାଙ୍କର ଶେଷ କାର୍ଯ୍ୟ ଦିବସ। ତାଙ୍କ ପରେ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦାୟିତ୍ଵ ନେବେ। ସେ ଅକ୍ଟୋବର ୩୧ ତାରିଖରେ ଶପଥ ଗ୍ରହଣ କରିବେ।
ତେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ସେହିପରି ଗୁରୁବାର ରାଜଭବନ କର୍ମଚାରୀମାନେ ରାଜ୍ୟପାଳଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଫେସର ଗଣେଶୀ ଲାଲ ୨୦୧୮ ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ। ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ୫ ବର୍ଷ ୫ ମାସ ରହିଥିଲା।

ଅନ୍ୟପଟେ ରଘୁବର ଦାସ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଆସିବେ। ଏହାପରେ ଅକ୍ଟୋବର ୩୧ରେ ସେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ତାଙ୍କୁ ଶପଥ ପାଠ କରାଇବେ।
Tags: #ProfessorGaneshiLal #Governor #CmNaveenPatnaik #RaghubarDas #Odisha








