ଓଡ଼ିଶାଲାଇଭ୍ ବ୍ୟୁରୋ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କୁ ମ୍ୟାରେଜ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତା ନଭେମ୍ବର ୭ ତାରିଖରେ ହାଜର ହେବା ଲାଗି ସୋମାଲିକାଙ୍କୁ ନୋଟିସ୍ କରାଯାଇଛି। ଅନ୍ୟ ପଟେ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମାମଲା ଚାଲିଥିବାରୁ ଓଡ଼ିଶା ହାଇକୋର୍ଟ ସୋମାଲିକାଙ୍କ ଆବେଦନକୁ ଖାରଜ କରିଛନ୍ତି।
ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଆଣିଥିବା ଅଭିଯୋଗକୁ ପ୍ରମାଣ କରିବା ଲାଗି ଯଦି କୌଣସି ସାକ୍ଷୀ ଥା’ନ୍ତି ତାଙ୍କୁ ସାଙ୍ଗରେ ଆଣିବାକୁ ନିର୍ଦେଶ ଦିଆଯାଇଛି।
ଗତ ଅକ୍ଟୋବର ୭ ତାରିଖରେ କଟକ ସବ୍ ରେଜିଷ୍ଟ୍ରାରଙ୍କ ଅଫିସରେ ସୋମାଲିକା ଦାଶ ହାଜର ହୋଇ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଉପରେ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ସୋମାଲିକାଙ୍କୁ ନୋଟିସ୍ ଜାରି କରାଯାଇଛି।
ନିକଟରେ ବିଧାୟକ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଏହି ବିବାହ ପାଇଁ ଅନୁମତି ପ୍ରଦାନ ନକରିବାକୁ ସୋମାଲିକା ହାଇକୋର୍ଟରେ ଆବେଦନ କରିଥିଲେ।
ବିବାହ ପାଇଁ ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା କରିଥିବା ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସୋମାଲିକା ଦାଶ।
ଗତ ଜୁନ ୧୬ ତାରିଖରେ ବିବାହ କରିବାକୁ ଉଭୟ ବିଜୟ ଶଙ୍କର ଦାସ ଏବଂ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ ୧୭ ତାରିଖକୁ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସୋମାଲିକା ଧାର୍ଯ୍ୟ ହୋଇଥିବା ତାରିଖରେ ବିବାହ ପାଇଁ ପହଞ୍ଚିଥିଲେ କିନ୍ତୁ ଆସିନଥିଲେ ବିଜୟ ଶଙ୍କର ଦାସ। ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା।
ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିବାର ପରଦିନ ସୋମାଲିକା ସବରେଜିଷ୍ଟ୍ରାରଙ୍କୁ ଭେଟି ବିବାହ ଆବେଦନକୁ ରଦ୍ଦ କରିବା ନିମନ୍ତେ ଅନୁରୋଧ କରିଥିଲେ। ବିବାହ ତାରିଖ ଅକ୍ଟୋବର ୨୧କୁ ଧାର୍ଯ୍ୟ ହୋଇଥିବାରୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା ଦାସ। ଅକ୍ଟୋବର ୧୮ ତାରିଖରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଉପରେ ରୋକ ଲଗାଇବାକୁ ସୋମାଲିକା ଆବେଦନ କରିଥିଲେ।
Tags: #BijayShankarDas #Trouble #Marriage #Controversy #love #Tirtol #odishahighcourt








