ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ-୨୦୨୩’। ବୋରିଗୁମ୍ମାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ଏହି ଲୋକ ମହୋତ୍ସବ ପାଇଁ ବିଗୁଲ ବାଜିଛି। ଉତ୍ସବରେ ସାମିଲ ହୋଇଥିଲେ ୧୪ଟି ବ୍ଲକର ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ କଳାକାର ଓ ଜନସାଧାରଣ।
ପ୍ରାୟ ୧୦ ହଜାର ଲୋକ ସମାଗମ ସାଙ୍ଗକୁ ନାଚଗୀତରେ ଦୁଲୁକି ଥିଲା ବୋରିଗୁମ୍ମା ସହର। ମା’ ଭୈରବୀଙ୍କ ମନ୍ଦିରରୁ ଆରମ୍ଭ ହୋଇଛି କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ‘ପରବ’। ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଗୀତରେ ପ୍ରକମ୍ପିତ ହୋଇଥିଲା ବୋରିଗୁମ୍ମା। ପୂଜାର୍ଚ୍ଚନା ସହ ମଶାଲ ପ୍ରଜ୍ଵଳନ କରି ବିରାଟ ଶୋଭାଯାତ୍ରାରେ ମଶାଲ ବାହାରି ପ୍ୟାରେଡ୍ ଗ୍ରାଉଣ୍ଡରେ ପହଞ୍ଚିଥିଲା। ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ଉଦଘାଟନ ଉତ୍ସବ ପରେ ବିଭିନ୍ନ ବ୍ଲକ ଓ ସହରାଞ୍ଚଳସ୍ତରରେ ‘ପରବ’ ପାଳନ କରାଯିବ। ଏହା ପରେ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ କୋରାପୁଟରେ ଆୟୋଜନ କରାଯିବ। ଗାଁ ଗହଳିର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ‘ପରବ’ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଛନ୍ତି ସ୍ଥାନୀୟ ଲୋକ ଓ କଳାକାର। ଏହି ଲୋକ ମହୋତ୍ସବକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଭରପୁର ଚେଷ୍ଟା କରାଯାଇଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ। ଏଥିରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଥିଲେ ସ୍ଥାନୀୟ କଳାକାର ଓ ଅଧିବାସୀ।
ଉତ୍ସବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ବିଜେଡିର ୪ ଜଣ ବିଧାୟକ ଯୋଗଦେଇ ୨୬ତମ ‘ପରବ’ ମହୋତ୍ସବକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ବ୍ଳକ ଓ ସହରାଞ୍ଚଳରେ ଆୟୋଜିତ ହେବାକୁ ଥିବା ‘ପରବ’ରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଚୟନ କରାଯିବ ଓ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।
Tags: #odisha #Koraput #Boriguma #Cutlure #Festival #Tradition #Parab #Mahostav