କପିଳାସ ଭୂୟାଁ

‘ମାଇଁ ସ୍ୱିଟ୍ ହାଉସୱାଇଫ’କୁ ନିଶ୍ଚିତ ଗୋଟିଏ ଭଲ ଓଡ଼ିଆ ଚଳଚ୍ଚିତ୍ର ବୋଲି କୁହାଯାଇପାରିବ। କାରଣ ଏଥିରେ କୌଣସି ଅଯଥା ହିଂସ୍ର ଆଚରଣ ନାହିଁ।
ଏକ ସମୟରେ ଦୁଇ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ନିଶ୍ଚୟ ଭଲ ଖବର। ନଭେମ୍ବର ୩ ତାରିଖରେ ଦୁଇ ଓଡ଼ିଆ ସିନେମା ‘ମାଇଁ ସ୍ୱିଟ୍ ହାଉସୱାଇଫ’ ଓ ‘ପ୍ରଥା’ ସାରା ଓଡ଼ିଶାରେ ପ୍ରଦର୍ଶନ ଆରମ୍ଭ ହୋଇଛି। ଗୋଟିଏ ପଟେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ନାଁରେ କନ୍ଦଳ କରି ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ କିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ଭାଗ ଭାଗ କରିବାକୁ ବସିଥିବାବେଳେ ଏହି ଦୁଇଟି ଚଳଚ୍ଚିତ୍ର ଆଶାର ନୂଆ ଝଲକ ସୃଷ୍ଟି କରିଛି କହିଲେ କିଛି ଭୁଲ ହେବ ନାହିଁ।
ଓଡ଼ିଶାରେ ଫିଲ୍ମ ଇଣ୍ଡଷ୍ଟ୍ରି ବୋଲି ଯଦି କିଛି ଥାଏ ତାହା କାଳକ୍ରମେ ଅସ୍ତିତ୍ଵ ହରାଇ ଆସୁଥିଲାବେଳେ ମହାମାରୀ କୋଭିଡ ଲକ୍ ଡାଉନ ତାହାକୁ ପ୍ରାୟ ନିଶ୍ଚିହ୍ନ କରିଦେଇଥିଲା। ତେବେ ଯୁବପିଢ଼ିର ନିର୍ମାତା ଓ ନିର୍ଦ୍ଦେଶକମାନେ ସେମାନଙ୍କ ଉଦ୍ୟମ ନିଶ୍ଚୟ ଜାରି ରଖିଥିଲେ। ଯାହା ଫଳରେ ଗତ ତିନି ମାସ ଭିତରେ ନଅଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ସେଗୁଡ଼ିକ ମଧ୍ୟରୁ ହାତ ଗଣତି କେତୋଟି ଚଳଚ୍ଚିତ୍ରକୁ ଛାଡ଼ିଦେଲେ ଅବଶିଷ୍ଟ ସମସ୍ତ ଚଳଚ୍ଚିତ୍ର ଯୁବପିଢ଼ିର ନିର୍ଦ୍ଦେଶକମାନେ ପ୍ରସ୍ତୁତ କରିଛନ୍ତି।
ସେହିଭଳି ଦୁଇଜଣ ନିର୍ଦ୍ଦେଶକ ହେଲେ ପିନାକୀ ସିଂ ଓ ଶିଶିର ସାହୁ। ଯୁଗ୍ମ ଭାବେ ଏମାନେ ‘ମାଇଁ ସ୍ୱିଟ୍ ହାଉସୱାଇଫ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଅମିତ କୁମାର ଦାଶ। ସଂକ୍ଷେପରେ କହିଲେ କୌଣସି ହିଂସ୍ର ଭାବାବେଗକୁ ବା ଫାଇଟିଙ୍ଗ ଆଦିକୁ ଗୁରୁତ୍ୱ ନଦେଇ ସମ୍ପୂର୍ଣ୍ଣ ଭାବେ ଭଲ କାହାଣୀ ଆଧାରରେ ଏହି ଚଳଚ୍ଚିତ୍ରଟିକୁ ନିର୍ମାଣ କରିବାକୁ ଚେଷ୍ଟା କରାଯାଇଛି।
‘ମାଇଁ ସ୍ୱିଟ୍ ହାଉସୱାଇଫ’ ଚଳଚ୍ଚିତ୍ରରେ କାହାଣୀ ଉପସ୍ଥାପନର ଧାରାଟି ସରଳ ଓ ସାବଲୀଳ। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀ ରୂପେ ଏକାଠି ରହିବା ଆରମ୍ଭ କଲେ ସେହି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଏକାଧିକ ସମନ୍ଵୟ ବା ଆଡଜଷ୍ଟମେଣ୍ଟ କରିବା ଦରକାର ପଡ଼େ। ସେଥିରେ ଅସାମଞ୍ଜସ୍ୟ ରହିଲେ ତାହା କ୍ରମେ ଅଶାନ୍ତି ସୃଷ୍ଟିର କାରଣ ହୁଏ। ସେହିଭଳି ଦୁଇଜଣ ହେଲେ ରୁଦ୍ର ଓ ଅପର୍ଣ୍ଣା।

କିନ୍ତୁ ଘରେ ରୁଦ୍ରର ହାକିମାତି ଚଳେ। ରୁଦ୍ରର ମା’ ଓ ପରିବାର ସଦସ୍ୟମାନଙ୍କ ସହ ପିକନିକ କରିବାକୁ ଗଲାବେଳେ ଅପର୍ଣ୍ଣା କ’ଣ ପିନ୍ଧିବ, କୌଣସି ପାର୍ଟିକୁ ଅପର୍ଣ୍ଣା ଯିବ କି ନାହିଁ, ଏପରିକି ଅପର୍ଣ୍ଣାର ଗୁପଚୁପ ଖାଇବାକୁ ଇଚ୍ଛା ହେଲାବେଳେ ସେ ତାହା ଖାଇବ କି ନାହିଁ, ଇତ୍ୟାଦି ସବୁ ବିଷୟରେ ରୁଦ୍ରର କଥା ହିଁ ମାନି ଚଳିବାକୁ ପଡ଼େ। ଅପର୍ଣ୍ଣା ସବୁ ମାନିନିଏ, କାରଣ ଘରେ ଅଶାନ୍ତି ହେଉ ବୋଲି ସେ ଚାହେଁ ନାହିଁ। ସଂସାର ଆଗକୁ ବଢ଼େ।
କିନ୍ତୁ ଅପର୍ଣ୍ଣା ପାଠପଢୁଆ ଝିଅ, ଗୀତ ବୋଲିବାକୁ ଓ ସମାଜ ସଂସ୍କାର ପାଇଁ ନାଟକ କରିବାକୁ ଭଲପାଏ। ସର୍ବୋପରି ସାଙ୍ଗମାନଙ୍କ ସହ ମିଶି ହସଖୁସିରେ ସମୟ କାଟିବାକୁ ପସନ୍ଦ କରେ। ସେଥିପାଇଁ ସେ ଉପାୟ ପାଞ୍ଚେ ଓ କାର୍ଯ୍ୟକାରୀ କରେ ରୁଦ୍ରର ଅଗୋଚରରେ। ଏସବୁ କଥା ଘଟଣା କ୍ରମେ ରୁଦ୍ର ଜାଣିବାକୁ ପାଏ, ଯାହା ସେମାନଙ୍କ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି କରେ। ଶେଷକୁ ସେ ଝଡ଼ର କିପରି ଅବସାନ ହୁଏ ଓ ଶାନ୍ତି ଫେରେ ତାହା ଚଳଚ୍ଚିତ୍ରଟିକୁ ଦେଖିଲାବେଳେ ଦର୍ଶକ ମନକୁ ନିଶ୍ଚୟ ଆନ୍ଦୋଳିତ କରିବ।
‘ମାଇଁ ସ୍ୱିଟ୍ ହାଉସୱାଇଫ’କୁ ନିଶ୍ଚିତ ଗୋଟିଏ ଭଲ ଚଳଚ୍ଚିତ୍ର ବୋଲି କୁହାଯାଇପାରିବ। କାରଣ ଏଥିରେ କୌଣସି ଅଯଥା ହିଂସ୍ର ଆଚରଣ ନାହିଁ। ଅବଶ୍ୟ ମନୋମାଳିନ୍ୟ କାରଣରୁ ସଂଘାତ ଅଛି, ଯାହା କି ସାଂସାରିକ ଜୀବନରେ ଅତି ସ୍ଵାଭାବିକ। ତେବେ କଥାବସ୍ତୁର ଅଗ୍ରଗତିରେ ଯେ ସଙ୍କଟ ନାହିଁ, ସେଭଳି ନୁହେଁ। କିନ୍ତୁ ସେସବୁକୁ ଅଣଦେଖା କରାଯାଇ ପାରେ, କାରଣ ଏଭଳି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ଗୋଟିଏ ଭଲ ପ୍ରଚେଷ୍ଟା।
ରୁଦ୍ର ଓ ଅପର୍ଣ୍ଣା ଭୂମିକାରେ ଯଥାକ୍ରମେ ପ୍ରୀତିରାଜ ଓ ନୈନା ଦାସଙ୍କ ଅଭିନୟ ଚରିତ୍ର ଉପଯୋଗୀ ହୋଇଥିଲା ବେଳେ ଅନ୍ୟ ସହଯୋଗୀ କଳାକାରମାନେ ମଧ୍ୟ ଭଲ ଅଭିନୟ କରିଛନ୍ତି। ଅବଶ୍ୟ ଏଭଳି ମତାମତ ବ୍ୟବସାୟିକ ଚଳଚିତ୍ରରେ ଯେଉଁଭଳି ଅଭିନୟ ପରିଦୃଷ୍ଟ ହୁଏ, ସେହି ମାନକ ଅନୁଯାୟୀ କୁହା ଯାଇପାରେ। ନଚେତ ଅଭିନୟ ଓ ଚରିତ୍ର ଚିତ୍ରଣକୁ ଅଧିକ ଶାଣିତ କରିବାର ସୁଯୋଗକୁ ଉପଯୋଗ କରାଯାଇ ପାରିଥାଆନ୍ତା। ନୈନା ଦାସଙ୍କ ସଂଳାପ ଉଚ୍ଚାରଣରେ କିଛିଟା ତ୍ରୁଟି ରହିଛି ଯାହାକି ରେକର୍ଡିଂ ଜନିତ ହୋଇଥାଇ ପାରେ। ନିର୍ମାତାମାନେ ସେହି ଦିଗ ପ୍ରତି ଅଧିକ ଧ୍ୟାନ ଦେବା ଦରକାର ଥିଲା। ଗୀତ ରେକର୍ଡିଂ କ୍ଷେତ୍ରରେ ମଧ୍ୟ ସେହି ସମସ୍ୟା ରହିଛି।
ଉଭୟ ପ୍ରୀତିରାଜ ଓ ନୈନା ଦାସ ଭଲ ଅଭିନେତା। କିନ୍ତୁ ପ୍ରୀତିରାଜ ଉପଯୁକ୍ତ ସମୟରେ ଯେଉଁ ସୁଯୋଗ ପାଇବା କଥା ତାହା ପାଇ ପାରିନାହାନ୍ତି। ନୈନାଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ କଥା କୁହାଯାଇପାରେ, ଯଦିଓ ସମ୍ପୂର୍ଣ୍ଣ ପୃଥକ କାରଣରୁ। ସେ ଯାହା ବି ହେଉ ‘ମାଇଁ ସ୍ୱିଟ୍ ହାଉସୱାଇଫ’ରେ ଉଭୟଙ୍କ ଅଭିନୟ ଭଲ ହୋଇଛି। ଏହି ଚଳଚ୍ଚିତ୍ର ଦ୍ଵାରା ଉଭୟଙ୍କର ‘କମ୍ ବ୍ୟାକ୍’ ହୋଇପାରେ ଓ ସେମାନେ ଆଗକୁ ଆହୁରି ଭଲ ଚଳଚ୍ଚିତ୍ର କରିବାର ଆଶା ରଖାଯାଇପାରେ।
ମିଷ୍ଟିକ କ୍ଲ କ୍ଲାପସ୍ ପକ୍ଷରୁ ପ୍ରଯୋଜିତ ‘ମାଇଁ ସ୍ୱିଟ୍ ହାଉସୱାଇଫ’ର ପ୍ରଯୋଜକ ପ୍ରୀତିରାଜ ଶତପଥୀ ଓ ନୈନା ଦାସ ତିୱାରୀ ରହିଥିବାବେଳେ ସହ ପ୍ରଯୋଜକ ହେଉଛନ୍ତି ସିଦ୍ଧାର୍ଥ ତିୱାରୀ। ସଙ୍ଗୀତ ନିର୍ଦ୍ଦେଶକ ଭାବେ ରହିଛନ୍ତି ରାହୁଲ ରାଉଳ ଓ ଡିଓପି ଦାୟିତ୍ଵ ତୁଲାଇଛନ୍ତି ରୁଦ୍ରକାନ୍ତ ସିଂ।
(ସମୀକ୍ଷକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ।)
Tags: #Newodiacinema #FilmReview #mysweethousewife #KapilasBhuyan #odisha #entertainment