ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ପରିବେଶ ସହ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଓଡ଼ିଶା ୱିମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ କମିଶନରେଟ୍ ପୋଲିସର ଅଭିନବ ପ୍ରୟାସ। ଓଡବ୍ଲ୍ୟୁଏମ୍ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ରବିବାର ଦିନ ଚନ୍ଦକା ଥାନା ପରିସରରେ ‘ସିଡ୍ ବଲ୍’ ପ୍ରସ୍ତୁତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡେପୁଟି କମିଶନର ପ୍ରତୀକ ସିଂହ ଏହି ଅଭିଯାନର ନେତୃତ୍ୱ ନେଇଥିଲେ। ସବୁଜିମାର ଅବକ୍ଷୟ ଓ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇବା ଭଳି ସମସ୍ୟାର ମୁକାବିଲା ପାଇଁ ଏହିଭଳି କାର୍ଯ୍ୟକ୍ରମର ଆବଶ୍ୟତା ଉପରେ ପୋଲିସ କମିଶନର ଗୁରୁତ୍ଵାରୋପ କରିଥିଲେ।
ଏହି ଅବସରରେ ପୋଲିସ ଅଧିକାରୀ ଓ ଓଡବ୍ଲ୍ୟୁଏମ ସଦସ୍ୟମାନେ ‘ସିଡ୍ ବଲ୍’ ବା ବିହନର ବଲ୍ ପ୍ରସ୍ତୁତ କରିବା ସହ ଚନ୍ଦକା ଥାନା ପରିସରରେ ଆମ୍ବ, ପଣସ, ପିଜୁଳି, ଲିଚୁ ଓ ବକୁଳ ଗଛ ଆଦିର ଚାରା ରୋପଣ କରିଥିଲେ। ସେହିପରି ସଜନା, ରାଧାଚୂଡ଼ା, ଆତ ସହ ବିଭିନ୍ନ ପ୍ରକାର ଫୁଲର ମଞ୍ଜିରୁ ସିଡ୍ ବଲ୍ ପ୍ରସ୍ତୁତ କରାଯାଇଥିଲା।
ଡିସିପି ପ୍ରତୀକ ସିଂହ ଏହି ସବୁଜ ଅଭିଯାନକୁ ପ୍ରଶଂସା କରିବା ସହ ପରିବେଶ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ ବୋଲି କହିଥିଲେ। ଏହି ସିଡ୍ ବଲଗୁଡ଼ିକୁ ଶୁଖାଇବା ସହ ଆବଶ୍ୟକ ଥିବା ଅଞ୍ଚଳଗୁଡ଼ିକରେ ଏହାର ସଦୁପଯୋଗ କରିବାରେ ସହଯୋଗ କରିବାକୁ ସେ ଆଶ୍ୱାସନା ଦେଇଥିଲେ।
Tags: #GreenInitiativeProgram #OdishaWomeninMedia #OWM #CommissioneratePolice #SeedBall #Prantation #GreenOdisha #Environment