ଭାସ୍କର ପରିଚ୍ଛା
ଆସନ୍ତା ୨୦୨୪ ଜାନୁଆରି ୧୪ ତାରିଖରୁ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯୋଜନା କରିଛି କଂଗ୍ରେସ। ଏଥିପାଇଁ ଆସନ୍ତା ଜାନୁଆରି ୪ ତାରିଖରେ ଦଳ ଏକ ବଡ଼ ବୈଠକ ଡାକିଛି। ବୈଠକରେ ୧୪ଟି ରାଜ୍ୟର କଂଗ୍ରେସ ସଭାପତିଙ୍କ ସହିତ ବିଧାୟକ ଦଳର ନେତାମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।
ଏହି ବୈଠକରେ ‘ଭାରତ ନ୍ୟାୟ ଯାତ୍ରା’ର ରୁଟ୍ ବା ରାସ୍ତା ଚୂଡ଼ାନ୍ତ କରାଯିବ। ‘ଭାରତ ନ୍ୟାୟ ଯାତ୍ରା’ ପାଇଁ ଜାନୁଆରି ୪ ତାରିଖରେ କଂଗ୍ରେସ ‘ଲୋଗୋ’ ଉନ୍ମୋଚନ କରିବ।
ଜାନୁଆରି ୮ ତାରିଖରେ ଦଳ ଏହି ଯାତ୍ରା କେଉଁ କେଉଁ ରାସ୍ତା ଦେଇ ଯିବ, ତାହା ଘୋଷଣା କରିବ। ସେହିପରି ଜାନୁଆରି ୧୨ ତାରିଖରେ ଦଳ ପକ୍ଷରୁ ଏହି ଯାତ୍ରା ପାଇଁ ‘ଥିମ୍ ସଙ୍ଗ୍’ ରିଲିଜ୍ କରାଯିବ। ‘ଭାରତ ନ୍ୟାୟ ଯାତ୍ରା’ରେ ଦଳୀୟ ନେତାମାନେ ଅଳ୍ପ ରାସ୍ତା ଚାଲି ଚାଲି ଅତିକ୍ରମ କରିବେ। ବାକି ରାସ୍ତାକୁ ବସ୍ରେ ଅତିକ୍ରମ କରିବେ। ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଡିସେମ୍ବର ୨୭ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ନ୍ୟାୟ ଯାତ୍ରା’ର ଘୋଷଣା କରାଯାଇଥିଲା। ଏହା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ ବୋଲି କୁହାଯାଇଥିଲା। ଏହି ଯାତ୍ରା ୧୪ଟି ରାଜ୍ୟ ଓ ୮୫ଟି ଜିଲ୍ଲା ଦେଇ ଅତିକ୍ରମ କରିବ।
ଏଥିପାଇଁ ୬୭ ଦିନ ଲାଗିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନସମର୍ଥନ ହାସଲ କରିବା ପାଇଁ କଂଗ୍ରେସ ଏହି ଯାତ୍ରାର ଆୟୋଜନ କରୁଥିବା କୁହାଯାଉଛି। ପ୍ରାୟ ବର୍ଷେ ତଳେ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ ଯାତ୍ରା’ କରିଥିଲେ। ସେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ସେ ୧୩୬ ଦିନରେ ୪,୦୦୦ରୁ ଅଧିକ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ।
କଂଗ୍ରେସର ଏହି ଯାତ୍ରା ଆଗାମୀ ୨୦୨୪ ନିର୍ବାଚନରେ କେତେ ଦୂର ସହାୟକ ହେବ ତାହା ଦେଖିବାର କଥା।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ପରାମର୍ଶଦାତା ସମ୍ପାଦକ)
Tags: #Politics #IndianPolitics #Congress #BharatNyayaJatra #India