ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗୁରୁବାର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ଶ୍ରୀନଅରରେ ହୋଇଥିବା ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଏଠାରେ ଲୋକାର୍ପଣ ଉତ୍ସବର ପ୍ରସ୍ତୁତିକୁ ନେଇ ଆଲୋଚନା ହେବା ସହ ପ୍ରକଳ୍ପର କାମକୁ ସମୀକ୍ଷା କରାଯାଇଥିଲା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ମନ୍ଦିର ଓ ଅତିଥିମାନଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ବାବଦରେ ବୈଠକରେ ଚର୍ଚ୍ଚା ହୋଇଥିଲା। ଏହାସହ ଉତ୍ସବରେ ହେବାକୁ ଥିବା ଯଜ୍ଞ ଏବଂ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟର ପୂର୍ବପ୍ରସ୍ତୁତିକୁ ନେଇ ଆଲୋଚନା କରାଯାଇଥିଲା।
ଲୋକାର୍ପଣ ଉତ୍ସବ ପାଇଁ ଜାନୁଆରି ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ଦ୍ଵାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ। ଏହାପରେ ଜାନୁଆରି ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିରର ଐସାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ। ଶେଷରେ ଜାନୁଆରି ୧୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହୋଇ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗ ଦେବେ।
ଗୁରୁବାର ଶ୍ରୀନଅରରେ ଅନୁଷ୍ଠିତ ହୋଇଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
Tags: #SriMandir #ParikramaProjectInauguration #GajapatiMaharaj #Puri