ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାୟ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ହେମନ୍ତ ସୋରେନ ଗିରଫ ହେବା ପରେ ତାଙ୍କୁ ରାଞ୍ଚିସ୍ଥିତ ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା।

ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହେମନ୍ତ ସୋରେନ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵରେ ଗଠିତ ତିନିଜଣିଆ ଖଣ୍ଡପୀକ୍ଷା ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରିବେ।

ଜମି ଠକେଇ ମାମଲାରେ ଇଡି ସାତଘଣ୍ଟାରୁ ଅଧିକ ସମୟ ଧରି ହେମନ୍ତ ସୋରେନଙ୍କୁ ପଚରା ଉଚରା କରିବା ପରେ ଗିରଫ କରିଥିଲା। ହେମନ୍ତ ସୋରେନଙ୍କୁ ବର୍ତ୍ତମାନ ଇଡି ନିଜ ଅଧୀନକୁ ନେଇଛି। ପତ୍ନୀ କଳ୍ପନା ସୋରେନ ହେମନ୍ତ ସୋରେନଙ୍କୁ ଇଡି କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି।

ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ସହ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି କହିଥିଲେ, “ମୁଁ ମୁଣ୍ଡ ନୂଆଁଇବି ନାହିଁ। ସତ୍ୟର ଜୟ ହେବ।”

ହେମନ୍ତ ସୋରେନ ନିଜ ଗିରଫଦାରୀ ପରେ କଳ୍ପନା ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ହେମନ୍ତ ସୋରେନ ନିଜ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ଚମ୍ପଇ ସୋରେନଙ୍କୁ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଚମ୍ପଇ ସୋରେନ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ସରକାର ଗଢ଼ିବା ପାଇଁ ଦାବି କରିବା ସହ ୪୩ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି।

Tags: #Politics #HemantSoren #EDAction #HemantSorenArrested

LEAVE A REPLY

Please enter your comment!
Please enter your name here