ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି ବିଜେପି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ଟି ଲୋକସଭା ଆସନର ସ୍ଥିତି ସମୀକ୍ଷା କରିଛନ୍ତି। ରାଜନାଥ ସିଂହ ନବରଙ୍ଗପୁରରେ ପହଞ୍ଚି ଦଳର କୋର କମିଟି ବୈଠକରେ ଯୋଗଦେବା ସହ ଏଠାରେ ହୋଇଥିବା କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତା ଓ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଥିଲେ।
“ଏବେ କେନ୍ଦ୍ର ସରକାର ଦେଶର ପ୍ରଗତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ତତ୍ପର। ତେବେ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ରହିଲେ ରାଜ୍ୟର ଆହୁରି ଉନ୍ନତି ହୋଇପାରିବ। ମୋର ବିଶ୍ଵାସ ଏଥର ଆମେ ଏଠାରେ ସରକାର ଗଢ଼ିବୁ”, କହିଛନ୍ତି ରାଜନାଥ ସିଂହ।
ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି। ୟୁପିଏ ସରକାର ସମୟରେ ଦେଶରେ ବଢ଼ୁଥିବା ଆତଙ୍କବାଦ ଓ ନକ୍ସଲବାଦ ବିରୋଧରେ ଆମେ ଓଡ଼ିଶାରୁ ହିଁ ‘ଭାରତ ସୁରକ୍ଷା’ ଯାତ୍ରା ଆରମ୍ଭ କରିଥିଲୁ। ଏବେ ଆତଙ୍କବାଦ ଅନେକ ପରିମାଣରେ କମିଛି। ଆମେ ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥାଉ ତାହା ପୂରଣ ମଧ୍ୟ କରିଥାଉ। ଦେଶର ଉନ୍ନତି ଆମର ଏକମାତ୍ର ଲକ୍ଷ୍ୟ।”
ନବରଙ୍ଗପୁରରେ ବିଜେପି କୋର୍ କମିଟି ବୈଠକରେ ରାଜନାଥ ସିଂହଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଏଠାରେ ସେ କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ସମୀକ୍ଷା କରିଥିଲେ। ବୈଠକବେଳେ ରାଜନାଥ ସିଂହ ଏହିସବୁ କ୍ଷେତ୍ରର ଲୋକସଭା କୋର୍ କମିଟି ସଦସ୍ୟ, ବିଧାନସଭାସ୍ତରୀୟ କୋର୍ କମିଟି, ସମସ୍ତ ମୋର୍ଚ୍ଚା ସଭାପତି ତଥା ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।
ଗୁରୁବାର ରାଜନାଥ ସିଂହ ନବରଙ୍ଗପୁର ପରେ ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି। ସେଠାରେ ସେ ଆମ୍ବପୁଆ ପଡ଼ିଆରେ ଆୟୋଜିତ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ଅପରାହ୍ଣରେ ସେ ବାରିପଦା ଯାଇ ସେଠାରେ ମଧ୍ୟ ବିଜୟ ସଂକଳ୍ପ ସମାବେଶରେ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
Tags: #RajnathSingh #DefenceMinister #OdishaVisit #BJP #IndianGeneralElections #Politics