ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୩ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଫାଲଗୁନ ଶୁକ୍ଳ ଚତୁର୍ଥୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ତିଥି ଧାର୍ଯ୍ୟ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ନୀତି ପାଇଁ ବୁଧବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ବନକଲାଗି ନୀତି କରିବେ। ଏହାପରେ ଦର୍ଶନ ସ୍ଵାଭାବିକ ହେବ।

ବୁଧବାର ଦ୍ଵିତୀୟ ଭୋଗମଣ୍ଡପରେ ଭୋଗ ନୀତି ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ବଡ଼ଠାକୁରଙ୍କ ଶ୍ରୀମୁଖ ଶିଙ୍ଗାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ।

ବନକଲାଗି ନୀତି ପାଇଁ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ଵାର ବନ୍ଦ କରାଯାଇଥାଏ। ଏହାପରେ ଦତ୍ତମହାପାତ୍ର ସେବକମାନେ ବନକ ପେଡ଼ି ସହ ରତ୍ନ ସିଂହାସନକୁ ଉଠି ବନକଲାଗି କରିଥାନ୍ତି। ବନକଲାଗି ପାଇଁ ୩ ଖଣ୍ଡ ଶ୍ରୀକପଡ଼ା ଏବଂ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଆଦି ରଙ୍ଗ ବ୍ୟବହାର କରାଯାଇଥାଏ।

ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ବଡ଼ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଇଥାନ୍ତି। ଏହାପରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ।

Tags: #Srimandir #BanakalagiRitual #SriJagannath #Tradition #Culture #Puri

LEAVE A REPLY

Please enter your comment!
Please enter your name here