ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ କୁମାର କୃଷ୍ଣ ଦାସଙ୍କ ସହ ଅଭିଷେକ ରାୟ): ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଅବକ୍ଷୟର ମୁକାବିଲା ଏବେ ସାରା ବିଶ୍ଵରେ ଏକ ଆହ୍ଵାନ ସୃଷ୍ଟି କରିଛି। ମନୁଷ୍ୟ ସମାଜର ସ୍ଥାୟୀ ବିକାଶ ପାଇଁ ସବୁଜ କୋଠା ତଥା ସବୁଜ ଭିତ୍ତିଭୂମିର ନିର୍ମାଣ ଆଜି ଅବଶ୍ୟକତାରେ ପରିଣତ ହୋଇଛି। ଏହି ଲକ୍ଷ୍ୟ ହାସଲ ଦିଗରେ ଉଦ୍ଭାବନ ଓ ସହଭାଗିତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବୁଧବାର ଭୁବନେଶ୍ୱରରେ ଆୟୋଜିତ ହୋଇଛି ଗ୍ରୀନ୍ ଓଡ଼ିଶା କନକ୍ଲେଭ୍।
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଏହାର ସହଯୋଗୀ ସଂସ୍ଥା ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନ୍ସିଲ (ଆଇଜିବିସି) ପକ୍ଷରୁ ମିଳିତ ଭାବେ ଏହି କନକ୍ଲେଭର ଆୟୋଜନ କରାଯାଇଛି। ଓଡ଼ିଶା ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ସିଭିଲ୍) ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଗ୍ରୀନ୍ ଓଡ଼ିଶା କନକ୍ଲେଭରେ ଅନେକ ଉଦ୍ୟୋଗୀ, ଶିକ୍ଷାବିତ, ବୈଜ୍ଞାନିକ, ବିଶେଷଜ୍ଞ ଏବଂ ସରକାରୀ ତଥା ଅନ୍ୟ ଅଂଶୀଦାରମାନେ ଯୋଗ ଦେଇଥିଲେ। ସେମାନେ ସବୁଜ ଭିତ୍ତିଭୂମିର ବିଶେଷତା ତଥା ଉକ୍ତ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଉତ୍ତମ ଟେକ୍ନୋଲୋଜି ଉପରେ ଆଲୋକପାତ କରିଥିଲେ।
“ଆଜି ଜଳବାୟୁ ପରିବର୍ତ୍ତନ ବିଶ୍ଵର ସବୁ ଦେଶ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାସହ ଗ୍ରୀନ ହାଉସ ଗ୍ୟାସର ନିର୍ଗମନ ସମସ୍ୟାକୁ ଆହୁରି ଜଟିଳ କରିଛି। ୧୮୫୦ ମସିହାରେ ଭାରତର ମୁଣ୍ଡପିଛା କାର୍ବନ ନିର୍ଗମନ ବହୁତ ନଗଣ୍ୟ ଥିଲା, ଯାହା ୨୦୨୨ ସୁଦ୍ଧା ୨ ଟନରେ ପହଞ୍ଚିଛି”, କହିଛନ୍ତି ମନୋରଞ୍ଜନ ମିଶ୍ର।
ସେ ଆହୁରି ମଧ୍ୟ କହିଛନ୍ତି, “ଭାରତର ସମୁଦାୟ କାର୍ବନ ନିର୍ଗମନ ୨.୮୩ ବିଲିୟନ ଟନ୍ ହୋଇଥିବାବେଳେ ଆମେରିକା, ୟୁକେ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ନିର୍ଗମନ ସ୍ତର ଆମ ଦେଶଠାରୁ ବହୁତ ଅଧିକ ରହିଛି। ତେବେ ଏହାର ମୁକାବିଲା ପାଇଁ ଆମକୁ ପ୍ରଦୂଷଣ କମାଇବା ସହ ପରିବେଶ ଅନୁକୂଳ କୋଠା ଓ ଭିତ୍ତିଭୂମି ନିର୍ମାଣ କରିବାକୁ ପଡ଼ିବ, କାରଣ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।’’

ସେହିପରି କନକ୍ଲେଭରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ ମହାନ୍ତି ଓଡ଼ିଶାକୁ ସବୁଜ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ସବୁ ଅଂଶୀଦାରଙ୍କ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ।
ସେ କହିଥିଲେ, “ଓଡ଼ିଶାରେ ସବୁଜ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ସମେତ ସବୁ ଅଂଶୀଦାରଙ୍କ ମିଳିତ ପ୍ରୟାସ ଅପରିହାର୍ଯ୍ୟ। ଖଣି, ଇସ୍ପାତ, ନିର୍ମାଣ ଭଳି ପ୍ରମୁଖ ଶିଳ୍ପ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରିଥାଏ। ତେବେ ଏହି ଶିଳ୍ପଗୁଡ଼ିକୁ ପରିବେଶ ଅନୁକୂଳ କରିବା ପାଇଁ ଗବେଷଣା ଏବଂ ପ୍ରଯୁକ୍ତିର ବିକାଶକୁ ପ୍ରାଥମିକତା ଦେବାର ସମୟ ଆସିଛି।”
ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ପରିବେଶ ଅନୁକୂଳ ଭିତ୍ତିଭୂମିର ଗଠନ ଉଦ୍ଦେଶ୍ୟରେ ବିଶେଷଜ୍ଞ ତଥା ଅଂଶୀଦାରମାନଙ୍କ ମଧ୍ୟରେ ବୁଝାମଣା, ରଣନୀତି ଏବଂ ସର୍ବୋତ୍ତମ ଅଭ୍ୟାସର ଆଦାନପ୍ରଦାନ ପାଇଁ ଗ୍ରୀନ୍ ଓଡ଼ିଶା କନକ୍ଲେଭ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରିଥିଲା।
ଅନ୍ୟପଟେ ଏହି କନକ୍ଲେଭରେ ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନ୍ସିଲ (ଆଇଜିବିସି) ଭୁବନେଶ୍ୱରର ଅଧ୍ୟକ୍ଷ ମନୋଜ କର ସ୍ୱାଗତ ଭାଷଣ ଦେଇ ଜଳବାୟୁ ପରିବର୍ତ୍ତନର ମୁକାବିଲା ଉପରେ ଆଲୋକପାତ କରିଥିଲେ। ନିର୍ମାଣ ଶିଳ୍ପରେ କାର୍ବନ ନିର୍ଗମନର ମାତ୍ରାକୁ କମାଇବା ପାଇଁ ଗ୍ରୀନ୍ ବିଲ୍ଡିଂ ମାନଦଣ୍ଡର ଆବଶ୍ୟକତା ଉପରେ ସେ ଆଲୋଚନା କରିଥିଲେ। ଏହାସହ ଗ୍ରୀନ୍ ବିଲ୍ଡିଂ ମାନଦଣ୍ଡ ଯୋଗୁଁ ହେଉଥିବା ଆର୍ଥିକ ଲାଭ ବିଷୟରେ ମଧ୍ୟରେ ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଗ୍ରୀନ୍ ଓଡ଼ିଶା କନକ୍ଲେଭର ସହଯୋଗୀ ସଂସ୍ଥାମାନଙ୍କ ପକ୍ଷରୁ ଗ୍ରୀନ୍ ବିଲ୍ଡିଂ ଟେକ୍ନୋଲୋଜି ତଥା ନିର୍ମାଣ ଶିଳ୍ପରେ ଲାଗୁଥିବା ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା। ଏହାସହ କାର୍ଯ୍ୟକ୍ରମରେ ଗ୍ରୀନ୍ ବିଲ୍ଡିଂ ସାର୍ଟିଫିକେସନ ଦିଗରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆଇଜିବିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ ଆନନ୍ଦ, ଆଇଜିବିସି ଭୁବନେଶ୍ୱରର ଉପାଧ୍ୟକ୍ଷା ସୋଫିଆ ଫିରଦୌସ, ଇଡକୋର ସିଜିଏମ୍ ଅଶୋକ କୁମାର ମିଶ୍ର, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ, ଭୁବନେଶ୍ୱର ମହାନଗର ନିଗମର ନଗର ଯନ୍ତ୍ରୀ ବିଳାସ କୁମାର ବେହେରା, ଆଇଆଇଆଇଡି ଭୁବନେଶ୍ୱରର ଅଧ୍ୟକ୍ଷ ଭକ୍ତି ପ୍ରସାଦ ମହାପାତ୍ର ଏବଂ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡର ପୂର୍ବାଞ୍ଚଳ ମୁଖ୍ୟ ପ୍ରଦୀପ କୁମାର ଝା ପ୍ରମୁଖ ଯୋଗ ଦେଇଥିଲେ।
Tags: #GreenOdishaConclave #GreenBuilding #ClimateChange #CII #IGBC #Bhubaneswar