ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ନିଜ ପିଲାଙ୍କ ସୁରକ୍ଷା ଚିନ୍ତା କୋଉ ବାପା ମା’ଙ୍କର ବା ନଥାଏ। ବେଳେ ବେଳେ କିଛି ବାପା ମା’ ପିଲାଙ୍କ ସୁରକ୍ଷା କଥା ଚିନ୍ତା ନକରି ଦାୟିତ୍ୱହୀନ ହୋଇ ସେମାନଙ୍କୁ ବିପଦ ମୁହଁକୁ ଠେଲିବାକୁ ମଧ୍ୟ ପଛାନ୍ତି ନାହିଁ। ଏମିତି ଏକ ଦାୟିତ୍ୱହୀନତାର ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଳୁରୁ ସହରର ରାଜରାସ୍ତାରେ। ଏହି ଦାୟିତ୍ୱହୀନତା ପାଇଁ ବାପା ମା’ଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଛି।

ଘଟଣାଟି ୪ ଦିନ ତଳର। ବେଙ୍ଗାଳୁରୁ ସହରର ହ୍ୱାଇଟଫିଲ୍ଡ ଅଞ୍ଚଳରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଜନଗହଳି ପୂର୍ଣ୍ଣ ରାସ୍ତାରେ ଗୋଟିଏ ସ୍କୁଟିରେ ଯାଉଥିବା ଦମ୍ପତିଙ୍କ ସାଙ୍ଗରେ ଥିଲା କୁନି ପିଲାଟିଏ। ପିଲାଟି କିନ୍ତୁ ସ୍କୁଟି ସିଟରେ ନବସି ଛିଡ଼ା ହେଇଥିଲା ସ୍କୁଟିର ପୁଟ ରେଷ୍ଟ ଉପରେ। ରାସ୍ତାରେ ଯାଉଥିବା ଏହି ଦମ୍ପତିଙ୍କ ଦାୟିତ୍ୱହୀନତାକୁ ଦେଖୁଥିଲେ ସେହି ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା।

କିଏ ଏହି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ତ, ଆଉ କେହି ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରୁଥିଲେ। ଦମ୍ପତିଙ୍କ ସ୍କୁଟି ପଛରେ ଯାଉଥିବା କାର ଚାଳକ ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦେଖୁ ଦେଖୁ ଭିଡିଓଟି କିଛି ସମୟ ମଧ୍ୟରେ ଭାଇରାଲ ହେବାକୁ ଲାଗିଲା। ବେଙ୍ଗାଳୁରୁ ପୋଲିସ ନଜରରେ ଏହି ଘଟଣା ପଡ଼ିବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ କରିବା ସହ ମୋଟ ଅଙ୍କର ଫାଇନ କାଟିଛି।

ବାପା ମା’ଙ୍କର ଦାୟିତ୍ୱହୀନତା ପାଇଁ ସ୍କୁଟିର ଫୁଟ ରେଷ୍ଟ ଉପରେ ଛିଡ଼ା ହୋଇଥିବା ପିଲାଟି ଯଦି କୌଣସି କାରଣ ବଶତଃ ଖସିପଡ଼ିଥାନ୍ତା, ତେବେ ଗୋଟିଏ ବଡ଼ ବିପଦକୁ ହୁଏତ ଏଡ଼ାଯାଇପାରି ନଥାନ୍ତା ବୋଲି ପୋଲିସ କହିଛି।

Tags: #RoadSafety #CarelessnessOfParents #Bengaluru #PoliceAction

LEAVE A REPLY

Please enter your comment!
Please enter your name here