ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ବଡ଼ ଶୋଭାଯାତ୍ରାରେ ଆସି ସେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପୂର୍ବରୁ ସେ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିଥିଲେ।
ପ୍ରାର୍ଥିପତ୍ର ଦାଖଲ ପାଇଁ ଯିବାବେଳେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ବିଜେପି ବିଧାୟକ ପ୍ରାର୍ଥୀ ଜୟନାରୟଣ ମିଶ୍ରଙ୍କ ସହ ମିଶି ଶୋଭାଯାତ୍ରା କରିଥିଲେ। ଏଥିରେ ବିଜେପିର ବରିଷ୍ଠ ନେତା ପୀତାମ୍ବର ଆଚାର୍ଯ୍ୟ, ନାଉରୀ ନାୟକଙ୍କ ସମେତ ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହାପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ।
“ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ। ସମ୍ବଲପୁରବାସୀ ଏବଂ ଓଡ଼ିଶା ମାଟିର ସେବା କରିବା ପାଇଁ ମୁଁ ସବୁବେଳେ ଆଗଭର ରହିବି”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ପ୍ରଥମଥର ପାଇଁ ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ବିରୋଧରେ ବିଜେଡି ପକ୍ଷରୁ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ମଇଦାନକୁ ଓହ୍ଲଇଛନ୍ତି। ମେ’ ୨୫ ତାରିଖରେ ଏଠାରେ ମତଦାନ ହେବାକୁ ଯାଉଛି।
Tags: #DharmendraPradhan #SambalpurLoksabhaSeat #Nomination #BJP #Politics #Odisha