ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ରାଏବରେଲି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାର୍ଥିପତ୍ର ଦାଖଲ ପାଇଁ ରାହୁଲ ଗାନ୍ଧୀ ଶୋଭାଯାତ୍ରାରେ ଆସି ରାଏବରେଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାରେ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। 

ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଦ୍ଵିତୀୟ ଆସନ ଭାବେ ରାଏବରେଲିରୁ ନିର୍ବାଚନ ଲଢ଼ିବେ। ଏଥର ସେ କେରଳର ୱାଏନାଡ ଆସନରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଏନେଇ ଶୁକ୍ରବାର ସକାଳେ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିଲା।

ଉତ୍ତରପ୍ରଦେଶର ରାଏବରେଲି ଓ ଅମେଠି ଆସନରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଶୁକ୍ରବାର ଶେଷ ଦିନ। ତେବେ ରାହୁଲ ଗାନ୍ଧୀ ଅମେଠିରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଶେଷ ମୁହୂର୍ତ୍ତରେ ସେ ରାଏବରେଲିରୁ ଲଢ଼ିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ଏନେଇ ପ୍ରାର୍ଥିପତ୍ର ଦାଖଲ କରିବାର ଥିବାରୁ ରାହୁଲ ଶୁକ୍ରବାର ନିଜ ପୂର୍ବ ନିର୍ଦ୍ଧାରିତ କୋରାପୁଟ ଗସ୍ତ ବାତିଲ କରିଥିଲେ।

ଅନ୍ୟପଟେ ଅମେଠିରୁ କିଶୋରୀ ଲାଲ ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ତେବେ ଚଳିତ ବର୍ଷ ରାଏବରେଲିରୁ ସୋନିଆ ଗାନ୍ଧୀଙ୍କ ବଦଳରେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲାବେଳେ ଦଳ ତାଙ୍କୁ ମଇଦାନକୁ ଓହ୍ଲାଇ ନାହିଁ।   

Tags: #LoksabhaElection #RahulGandhi #Nomination #Congress #Raebareli #UttarPradesh

LEAVE A REPLY

Please enter your comment!
Please enter your name here