ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡିର ଗଡ଼ କୁହାଯାଉଥିବା ଖଣ୍ଡପଡ଼ାରେ ଏବେ ବିଗିଡ଼ିବାରେ ଲାଗିଛି ଦଳର ସ୍ଥିତି। ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଦଳ ଛାଡ଼ିଛନ୍ତି ବିଜେଡିର ଟାଣୁଆ ନେତା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।
ଖଣ୍ଡପଡ଼ା ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଖଣ୍ଡପଡ଼ାରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୨୪ରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଶେଷରେ ମେ’ ୨ ତାରିଖରେ ଏହି ଆସନ ଲାଗି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେଡି।
ତେବେ ପ୍ରାର୍ଥୀ ଘୋଷଣା ହେଉ ହେଉ ଦଳ ଛାଡ଼ିଲେ ବିଜେଡିର ଦୃଢ଼ ସଂଗଠକ ଅନୁଭବ ପଟ୍ଟନାୟକ। ଦଳ ଛାଡ଼ିବା ପରେ ସେ ନିଜର ଅସନ୍ତୋଷ ଝାଡ଼ିଛନ୍ତି।
“୨୦୧୯ ମସିହାରେ ମୋ ପ୍ରତି ଯେଉଁ ଅବିଚାର କରାଯାଇଥିଲା ୨୦୨୪ରେ ତା’ଠାରୁ ବଡ଼ ଅନ୍ୟାୟ କରାଗଲା। ମୋତେ ଅଣଦେଖା କରି, ଦଳ ପ୍ରତି ଯାହାଙ୍କର କୌଣସି ଅବଦାନ ନାହିଁ ତାଙ୍କୁ ପ୍ରାର୍ଥୀ କରାଗଲା। ମୋ ପ୍ରତି ଯେଉଁ ଅନ୍ୟାୟ ହୋଇଛି ତା’ ବିରୋଧରେ ମୁଁ ଲଢ଼େଇ କରିବି, ସ୍ଵାଧୀନ ଭାବେ ଖଣ୍ଡପଡ଼ାର ସ୍ଵାର୍ଥ ପାଇଁ ନିର୍ବାଚନ ଲଢ଼ିବି”, କହିଛନ୍ତି ଅନୁଭବ ପଟ୍ଟନାୟକ।
ସାବିତ୍ରୀ ପ୍ରଧାନଙ୍କୁ ଖଣ୍ଡପଡ଼ା ଆସନରୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଅନୁଭବ ପଟ୍ଟନାୟକ। ସେ କହିଥିଲେ, “ଦଳ ପୁଣି ମୋତେ ଅଣଦେଖା କରିଛି। ଖଣ୍ଡପଡ଼ାରେ ବିଜେଡି ଯାହାଙ୍କୁ ପ୍ରାର୍ଥୀ କରିଛି ତାଙ୍କ ସ୍ଵାମୀଙ୍କ ନାଁରେ ଗଞ୍ଜେଇ ଚୋରାଚାଲାଣ ମାମଲା ରହିଛି। ଏପରିକି ଗୁରୁବାରୀ କହଁର ହତ୍ୟା ମାମଲାରେ ମଧ୍ୟ ତାଙ୍କ ସ୍ଵାମୀଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। ବିଜେଡିର ଏଭଳି ନିଷ୍ପତ୍ତି ଆଗକୁ ଦଳକୁ ସୁଦୃଢ଼ କରିବା ପରିବର୍ତ୍ତେ ଖଣ୍ଡପଡ଼ାରେ ଦୁର୍ବଳ କରିବ।”
ଏପରିକି ସାବିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅନୁଭବ ପଟ୍ଟନାୟକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।
ଅନୁଭବ ପଟ୍ଟନାୟକ ୨୦୧୪ ମସିହାରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ଖଣ୍ଡପଡ଼ାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ ଦେଇନଥିଲା ଦଳ। ୨୦୨୪ରେ ଖଣ୍ଡପଡ଼ା ଆସନରୁ ପ୍ରାର୍ଥୀ ହେବାକୁ ସେ ଆଶା ବନ୍ଧିଥିଲେ। ତେବେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ଅନୁଭବ କହିଛନ୍ତି, “ଦୀର୍ଘ ୨୭ ବର୍ଷ ହେଲା ମୁଁ ବିଜୁ ଜନତା ଦଳରେ କାମ କରିଆସୁଛି। ଖଣ୍ଡପଡ଼ାରେ ବିଜେଡିର ସଂଗଠନକୁ ସୃଦୃଢ଼ କରିବାରେ ପୂର୍ଣ୍ଣ ଉଦ୍ୟମ କରିଛି। ହେଲେ ଦଳ ପକ୍ଷରୁ ମୋ ପ୍ରତି ପକ୍ଷପାତିତା କରାଯାଇଛି। ୨୦୧୯ରେ ଯେତେବେଳେ ପ୍ରଥମ ଥର ପାଇଁ ମୋର ଟିକେଟ କଟିଥିଲା, ମୋତେ ବହୁତ କଷ୍ଟ ହୋଇଥିଲା। ଏହା ସତ୍ଵେ ବିଜେଡି ସଭାପତିଙ୍କ ନିର୍ଦ୍ଦେଶକୁ ମାନି ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲି। ସେ ବିପୁଳ ଭୋଟରେ ବିଜୟୀ ମଧ୍ୟ ହେଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଯିଏ ବିଧାୟକ ଭାବେ ନିର୍ବାଚିତ ହେଲେ ସେ ଖଣ୍ଡପଡ଼ା ମାଟିରେ ଦିନେ ହେଲେ ପାଦ ପକାଇଲେ ନାହିଁ।”
ସେ ଆହୁରି କହିଛନ୍ତି, ବିଧାୟକ ନଥାଇ ମଧ୍ୟ ବିଜୁ ଜନତା ଦଳର ସଂଗଠନକୁ ଦୃଢ଼ କରିବା ସହ ଦଳର ମୁଖପାତ୍ର ଭାବେ ସେ ଦଳୀୟ କାର୍ଯ୍ୟକ୍ରମ ସମ୍ପାଦନ କରିଛନ୍ତି। ବିଧାୟକଙ୍କ ଅନୁପସ୍ଥିତିରେ ଦଳର ନିର୍ଦ୍ଦେଶ କ୍ରମେ ଖଣ୍ଡପଡ଼ାବାସୀଙ୍କ ସୁଖ ଦୁଃଖରେ ଛିଡ଼ା ହେବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଛନ୍ତି। ଘରେ ଘରେ ଶଙ୍ଖ ଅଭିଯାନକୁ ସୂଚାରୁ ରୂପେ ଚଳାଇଆସିଛନ୍ତି। ଏହା ସତ୍ଵେ ଦଳ ତାଙ୍କୁ ଅଣଦେଖା କରିବା ସହ ଖଣ୍ଡପଡ଼ାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବାରୁ ବଞ୍ଚିତ କଲା। ଦଳର ଶୀର୍ଷ ନେତୃତ୍ଵ ତାଙ୍କୁ ସବୁବେଳେ ଅସ୍ତ୍ର କରି ସ୍ଵାର୍ଥ ସାଧନ କରିଥିବା ଅନୁଭବ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ବିଜେଡି ଛାଡ଼ିବା ପରେ ଶୁକ୍ରବାର ଦିନ ଅନୁଭବ ପଟ୍ଟନାୟକ ସ୍ଵାଧୀନ ପ୍ରାର୍ଥୀ ଭାବେ ଖଣ୍ଡପଡ଼ାରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ଗହଣରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅରୁଣ କୁମାର ପଟ୍ଟନାୟକ ଏବଂ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅନୁଭବ ପଟ୍ଟନାୟକ। ୧୯୯୦ ମସିହାରେ ଅରୁଣ କୁମାର ପଟ୍ଟନାୟକ ଜନତା ଦଳ ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିବାବେଳେ ବିଜୟଲକ୍ଷ୍ମୀ ପଟ୍ଟନାୟକ ଦୁଇ ଦୁଇ ଥର ଖଣ୍ଡପଡ଼ାର ବିଧାୟକ ନିର୍ବାଚିତ ହୋଇଛନ୍ତି। ବିଜୟଲକ୍ଷ୍ମୀ ପଟ୍ଟନାୟକ ୨୦୦୦ ମସିହାରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିବାବେଳେ ୨୦୦୪ରେ ସ୍ଵାଧୀନ ଭାବେ ବିଜୟୀ ହୋଇଥିଲେ।
ଅନୁଭବ ପଟ୍ଟନାୟକ ସ୍ଵାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ଖଣ୍ଡପଡ଼ାରେ ବିଜେଡି ପାଇଁ ଏବେ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ରାଜନୈତିକ ଅଭିଜ୍ଞତା ତଥା ବାପା ଅରୁଣ କୁମାର ପଟ୍ଟନାୟକ ଓ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଥେୟ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି ଅନୁଭବ।
Tags: #Politics #OdishaPolitics #AssemblyElections2024 #Odisha #BJD #AnubhavPatnaik #Nomination