ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ’ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ ହୋଇଥିବା ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଘଣ୍ଟଘଣ୍ଟା, ହୁଳହୁଳି ତଥା ବିଭିନ୍ନ ସାଂସ୍କୃତିକ ନୃତ୍ୟରେ କମ୍ପିଥିଲା ଜନପଥ।

ଶୁକ୍ରବାର ରାତି ୮ଟା ୩୦ରେ ନରେନ୍ଦ୍ର ମୋଦୀ ସ୍ଵତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିଥିଲେ। ସେଠାରୁ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ଏହାପରେ ଆରମ୍ଭ ହୋଇଥିଲା ବହୁ ପ୍ରତୀକ୍ଷିତ ରୋଡ୍‌ ସୋ’। ଏଥିରେ ବିଜେପିର ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ।

ରୋଡ୍‌ ସୋ’ ସମୟରେ ସମବେତ ଲୋକଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ସେହି ଗାଡ଼ିରେ ମୋଦୀଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପିର ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ଅପରାଜିତା‌ ଷଡ଼ଙ୍ଗୀ ରହିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷତକାର ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଓଡ଼ିଶାରେ ସରକାର ଓ ଲୋକଙ୍କ ଭିତରେ ସମ୍ପର୍କ କଟିଯାଇଛି। ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିପଦରେ ପଡ଼ିଛି। ଏବେ ଏଠାକାର ରାଜନୀତିରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ରାଜ୍ୟରେ ପ୍ରଥମଥର ପାଇଁ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଲୋକେ ବହୁତ ଉତ୍ସାହିତ ଅଛନ୍ତି।”    

ଏହି ଅଢ଼େଇ କିଲୋମିଟର ରୋଡ୍‌ ସୋ’ରେ ଜନପଥର ୧୨ଟି ସ୍ଥାନରେ କରାଯାଇଥିବା ମଞ୍ଚରେ ବିଭିନ୍ନ ପାରମ୍ପରିକ ନୃତ୍ୟର ଆୟୋଜନ କରାଯାଇଥିଲା। ଏହାସହ ବିଭିନ୍ନ ସ୍ଥାନରେ କୋଣାର୍କ, ଖଣ୍ଡଗିରି, ଉଦୟଗିରି ଭଳି ଓଡ଼ିଶାର ଐତିହାସିକ ସ୍ଥାନର ଝଲକ୍‌ ଦେଖିବାକୁ ମିଳିଥିଲା। ପ୍ରାୟ ୯ଟା ୪୫ ସମୟରେ ରୋଡ୍‌ ସୋ’ ଶେଷ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଥିଲା। ରାସ୍ତାର ଦୁଇ ପଟେ ବ୍ୟାରିକେଡ୍‌ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନ‌ରେଟ୍‌ ପୋଲିସ ପକ୍ଷରୁ ବ୍ୟପାକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ରୋଡ୍‌ ସୋ’ ପରେ ପ୍ରଧାନମନ୍ତ୍ରୀ ରାଜଭବନ ଯାଇ ରାତ୍ରିଯାପନ କରିଥିଲେ। ଶନିବାର ସେ ଓଡ଼ିଶାରେ ମାରଥନ ପ୍ରଚାର କରିବେ। ସେ ପ୍ରଥମେ କନ୍ଧମାଳ ଏବଂ ଏହାପରେ ବଲାଙ୍ଗିର ଓ ବରଗଡ଼ରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  

Tags: #PMNarendraModi #Roadshow #BJP Politics #Bhubaneswar

LEAVE A REPLY

Please enter your comment!
Please enter your name here