ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗତକାଲି ଭୁବନେଶ୍ଵରରେ ବିଶାଳ ରୋଡ ସୋ’ କଲେ, ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ଠାରେ ଆୟୋଜିତ ଦଳୀୟ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଦୁଇ ଦିନିଆ ଓଡ଼ିଶା ଗସ୍ତରରେ ଆସି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀଙ୍କ ମନୋବଳ ବଢ଼ାଇବାକୁ ଘନ ଘନ ଓଡ଼ିଶା ଗସ୍ତର କରୁଛନ୍ତି ନରେନ୍ଦ୍ର ମୋଦୀ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ସମାବେଶରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଫୁଲବାଣୀରେ ରତ୍ନଭଣ୍ଡାର ପ୍ରସଂଗ ଉଠାଇଲେ ମୋଦୀ

ନରେନ୍ଦ୍ର ମୋଦୀ ଶନିବାର ଦିନ ଭୁବନେଶ୍ଵରଠାରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କନ୍ଧମାଳ ଜିଲ୍ଲାରେ ପହଞ୍ଚିଥିଲେ। ଫୁଲବାଣୀ ଷ୍ଟାଡିୟମଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ନିଜ ସମ୍ବୋଧନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିରେ ପ୍ରଧାନମନ୍ତ୍ରୀ।

ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ଅଧିକ ସାମର୍ଥ୍ୟ ଓଡ଼ିଶାର ଅଛି। ତେବେ ଗୁଜରାଟ ଆଗେଇ ଗଲା, ହେଲେ ଓଡ଼ିଶା କାହିଁକି ପଛରେ ରହିଗଲା ବୋଲି ପ୍ରଶ୍ନ କରିଥିଲେ ନରେନ୍ଦ୍ର ମୋଦୀ।

ସେ ଆହୁରି କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଯୋଗୁଁ ସାରା ଦୁନିଆ ଚାଲିଛି। ହେଲେ ରାଜ୍ୟ ସରକାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ସମ୍ଭାଳି ପାରିଲେ ନାହିଁ। ରତ୍ନଭଣ୍ଡାର ଚାବି ଗତ ୬ ବର୍ଷ ହେଲାଣି ମିଳୁନି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ମୂଲ୍ୟାୟନ ୪୫ ବର୍ଷ ତଳେ ହୋଇଥିଲା। ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି ଅଧିକ ଗମ୍ଭୀର ବିଷୟ ପାଲଟିଛି। ଏଥିପାଇଁ କମିଶନ ବସିଲା ହେଲେ କମିଶନର ରିପୋର୍ଟ ସାର୍ବଜନୀନ ହେଲାନି। ବିଜେପି ସରକାର ଆସିଲେ, ରତ୍ନଭଣ୍ଡାରର ପୁନଃ ମର୍ଯ୍ୟାଦା ପ୍ରତିଷ୍ଠା ହେବ ବୋଲି ନରେନ୍ଦ୍ର ମୋଦୀ କହିଥିଲେ।

ବିଜେଡି ସରକାରର କାଉଣ୍ଟ ଡାଉନ ଆରମ୍ଭ – ନରେନ୍ଦ୍ର ମୋଦୀ

ଫୁଲବାଣୀଠାରେ ସମାବେଶ ଶେଷ କରି ବଲାଙ୍ଗିରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବଲାଙ୍ଗିର ସହର ଉପକଣ୍ଠ ପଥରଚେପାଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ନରେନ୍ଦ୍ର ମୋଦୀ କହିଥିଲେ, “ଏଠାକାର ଭିଡ଼ ଦେଖି ଲାଗୁଛି ବିଜେଡି ସରକାରର କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ଆସନ୍ତା ଜୁନ ୪ ତାରିଖରେ ବିଜେଡି ସରକାରର ଏକ୍ସପାରି ଡେଟ। ଏଥର ପ୍ରଥମ ଥର ଲାଗି ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ଜୁନ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ। ଆଜିଠାରୁ ଆପଣମାନଙ୍କୁ ନିମନ୍ତ୍ରଣ ରହିଲା। ଓଡ଼ିଶା ମାଟିରେ ଜନ୍ମ ନେଇଥିବା ପୁଅ କିମ୍ବା ଝିଅ ଏଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ, ଏହା ମୋଦୀ ଗ୍ୟାରେଣ୍ଟି।”

ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ ବିନା କାଗଜରେ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ କହିପାରିବେ ନାହିଁ। ସେ ଆପଣଙ୍କ ଦୁଃଖ ବୁଝିପାରିବେ ନାହିଁ। ତେଣୁ ରାଜ୍ୟରୁ ବିଜେଡି ସରକାର ହଟିବାର ସମୟ ଆସିଛି ବୋଲି ସେ କହିଥିଲେ।

ବଲାଙ୍ଗିର ସମାବେଶ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରଗଡ଼ ଜିଲ୍ଲାରେ ପହଞ୍ଚି ଥିଲେ।

ବରଗଡ଼ରେ କଂଗ୍ରେସ ଉପରେ ବି ବର୍ଷିଲେ ମୋଦୀ

ବରଗଡ଼ ସହର ନିକଟ ବରାହାଗୁଡ଼ା ବିକାଶ ଭିଣ୍ଟେଜ ପଡ଼ିଆଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗ ଦେଇ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷି ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ କହିଥିଲେ, “ଦୀର୍ଘ ୨୫ ବର୍ଷର ଶାସନ କାଳ ମଧ୍ୟରେ ଓଡ଼ିଶାରୁ ଗରିବୀ ହଟେଇ ପାରିନାହନ୍ତି ରାଜ୍ୟ ସରକାର। ଓଡ଼ିଶାରେ ସିଏମଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି। ଓଡ଼ିଶାର ଶାସନ ଆଉ ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ନାହିଁ। ଓଡ଼ିଶା ବରବାଦ ହେଉଛି। ମୁଁ ଏଠାକୁ ଭୋଟ ମାଗିବାକୁ ଆସିନାହିଁ, ବରଂ ଓଡ଼ିଶାକୁ ବଞ୍ଚାଇବାକୁ ଆସିଛି। ଓଡ଼ିଶାକୁ ରକ୍ଷା କରିବାର ଦାୟିତ୍ଵ ଆପଣମାନଙ୍କର।”

ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ମଧ୍ୟ ଖୁବ ବର୍ଷିଥିଲେ। ସେ କହିଥିଲେ କଂଗ୍ରେସ ଅମଳରେ ରାଜ୍ୟର କୌଣସି ବିକାଶ ହୋଇ ନାହିଁ। କଂଗ୍ରେସ ସାରା ଦୁନିଆକୁ ଗରିବୀର ଚିତ୍ର ଦେଖାଇଲା। ଏହାକୁ ରୋକିବାରେ ବିଜେଡି ସରକାର ସକ୍ଷମ ହେଲେ ନାହିଁ ବୋଲି ମଧ୍ୟ ନରେନ୍ଦ୍ର ମୋଦୀ କହିଥିଲେ।

ନରେନ୍ଦ୍ର ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଦିନ ଦ୍ଵିପ୍ରହରରେ ଜଣେ ମନ୍ତ୍ରୀଙ୍କର ହତ୍ୟା ହୋଇଯାଉଛି। ଏଠାରେ ସାଧାରଣ ଜନତା କେତେ ସୁରକ୍ଷିତ ତାହା ସହଜେ ଅନୁମେୟ। ସେ ଆହୁରି କହିଥିଲେ ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଜେଡି ସରକାର ତୁରନ୍ତ ଓଡ଼ିଶାରୁ ହଟିବା ଦରକାର ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡ଼ିଶାରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ଉତ୍ସାହ ବଢ଼ାଇଲେ।

Tags: #Politics #OdishaPolitics #OdishaAssemblyElections2024 #NarendraModi #ElectionCampaign #BJP #Phulbaani #Kandhamal #Odisha

LEAVE A REPLY

Please enter your comment!
Please enter your name here