ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ଲାଗି ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ସୋମବାର ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ କରୁଛନ୍ତି ଭୋଟର। ଦିନ ୧ଟା ସୁଦ୍ଧା ୩୯.୩ ପ୍ରତିଶତ ମତଦାନ ହୋଇଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ବ୍ରହ୍ମପୁର ଲୋକସଭା ଆସନରେ ୩୪.୯୭ ପ୍ରତିଶତ ମତଦାନ ହୋଇଛି। ସେହିପରି କଳାହାଣ୍ଡିରେ ୪୨.୬୭ ପ୍ରତିଶତ, କୋରାପୁଟରେ ୩୬. ୬୪ ପ୍ରତିଶତ ଓ ନବରଙ୍ଗପୁରରେ ୪୨. ୬୫ ପ୍ରତିଶତ ମତଦାନ ହୋଇଛି।
ଏହା ସହ ଝରିଗାଁ ବିଧାସନସଭା କ୍ଷେତ୍ରରେ ଦିନ ୧ଟା ସୁଦ୍ଧା ସବୁଠାରୁ ଅଧିକ ମତଦାନ ହୋଇଛି। ଏଠାରେ ୪୬.୯୬ ପ୍ରତିଶତ ମତଦାନ କରିଛନ୍ତି ଭୋଟର। ସେହିପରି ନର୍ଲାରେ ୪୫.୪୮ ପ୍ରତିଶତ ମତଦାନ ହୋଇଥିବାବେଳେ ନବରଙ୍ଗପୁରରେ ୪୪.୯ ପ୍ରତିଶତ, ନୂଆପଡ଼ାରେ ୪୪ ପ୍ରତିଶତ ଓ ଲାଞ୍ଜିଗଡ଼ରେ ୪୩.୭ ପ୍ରତିଶତ ମତଦାନ ହୋଇଛି।
ବ୍ରହ୍ମପୁରର ସହରାଞ୍ଚଳରେ ୨୬.୧୪ ପ୍ରତିଶତ, ଛତ୍ରପୁରରେ ୩୦ ପ୍ରତିଶତ, କୋରାପୁଟରେ ୩୨.୨୫ ପ୍ରତିଶତ ଏବଂ ରାୟଗଡ଼ାରେ ୩୩ ପ୍ରତିଶତ ଓ ଗୋପାଳପୁରରେ ୩୪ ପ୍ରତିଶତ ମତଦାନ ହୋଇଛି।
ସହରାଞ୍ଚଳରେ ମତଦାନ କମ ହୋଇଥିବାରୁ ଭୋଟରମାନଙ୍କୁ ଅଧିକରୁ ଅଧିକ ମତଦାନ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି। ସେ କହିଛନ୍ତି କୌଣସି ବୁଥରେ ଭୋଟରଙ୍କର ଲମ୍ବା ଧାଡ଼ି ନାହିଁ, ତେଣୁ ସୁବିଧାରେ ଭୋଟରମାନେ ଆସି ନିଜ ନିଜର ମତ ସାବ୍ୟସ୍ତ କରନ୍ତୁ।
ଦିନ ୧୧ଟା ସୁଦ୍ଧା ନୂଆପଡ଼ାରେ ସର୍ବାଧିକ ୨୬.୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪ ପ୍ରତିଶତ ଭୋଟଗ୍ରହଣ ହୋଇଛି।
ସେହପରି ଗଜପତିରେ ୨୨.୦୨ ପ୍ରତିଶତ, କଳାହାଣ୍ଡିରେ ୨୪.୭୯ ପ୍ରତିଶତ, କୋରାପୁଟରେ ୨୬.୬୧ ପ୍ରତିଶତ, ମାଲକାନିଗିରିରେ ୨୨.୪୩ ପ୍ରତିଶତ, ନବରଙ୍ଗପୁରରେ ୨୪.୯୬ ପ୍ରତିଶତ ଓ ରାୟଗଡ଼ାରେ ୨୧.୮୧ ପ୍ରତିଶତ ମତଦାନ ହୋଇଛି।
ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚଳିତ ବର୍ଷ ନିର୍ବାଚନରେ ଲୋକେ ଅଧିକ ସଂଖ୍ୟାରେ ଭୋଟ୍ ଦେବେ ବୋଲି ନିର୍ବାଚନ କମିଶନ ଆଶାବ୍ୟକ୍ତ କରିଛନ୍ତି।
Tags: #Politics #OdishaPolitics #OdishaAssemblyElections2024 #Voting #Voters #Odisha #ECI #India


















