ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ଲାଗି ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ସରିଥିବାବେଳେ ଅଳ୍ପ କେତୋଟି ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା।
ସୋମବାର ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୨.୯୬ ପ୍ରତିଶତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ଦିନ ୧ଟା ସୁଦ୍ଧା ୩୯.୦୩ ପ୍ରତିଶତ ମତଦାନ ହୋଇଥିଲା। ବ୍ରହ୍ମପୁର ଲୋକସଭା ଆସନରେ ୩୪.୯୭ ପ୍ରତିଶତ ମତଦାନ ହୋଇଥିବାବେଳେ କଳାହାଣ୍ଡିରେ ୪୨.୬୭ ପ୍ରତିଶତ, କୋରାପୁଟରେ ୩୬. ୬୪ ପ୍ରତିଶତ ଓ ନବରଙ୍ଗପୁରରେ ୪୨. ୬୫ ପ୍ରତିଶତ ମତଦାନ ହୋଇଥିଲା।
ଏହା ସହ ଝରିଗାଁ ବିଧାସନସଭା କ୍ଷେତ୍ରରେ ଦିନ ୧ଟା ସୁଦ୍ଧା ସବୁଠାରୁ ଅଧିକ ମତଦାନ ହୋଇଥିଲା। ଏଠାରେ ୪୬.୯୬ ପ୍ରତିଶତ ମତଦାନ କରିଥିଲେ ଭୋଟର। ସେହିପରି ନର୍ଲାରେ ୪୫.୪୮ ପ୍ରତିଶତ ମତଦାନ ହୋଇଥିବାବେଳେ ନବରଙ୍ଗପୁରରେ ୪୪.୯ ପ୍ରତିଶତ, ନୂଆପଡ଼ାରେ ୪୪ ପ୍ରତିଶତ ଓ ଲାଞ୍ଜିଗଡ଼ରେ ୪୩.୭ ପ୍ରତିଶତ ମତଦାନ ହୋଇଥିଲା।
ବ୍ରହ୍ମପୁରର ସହରାଞ୍ଚଳରେ ୨୬.୧୪ ପ୍ରତିଶତ, ଛତ୍ରପୁରରେ ୩୦ ପ୍ରତିଶତ, କୋରାପୁଟ ୩୨.୨୫ ପ୍ରତିଶତ ଏବଂ ରାୟଗଡ଼ାରେ ୩୩ ପ୍ରତିଶତ ଓ ଗୋପାଳପୁରେ ୩୪ ପ୍ରତିଶତ ମତଦାନ ହୋଇଥିଲା।
ସହରାଞ୍ଚଳରେ ମତଦାନ କମ ହୋଇଥିବାରୁ ଭୋଟମାନଙ୍କୁ ଅଧିକରୁ ଅଧିକ ମତଦାନ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ କରିଥିଲେ।
ଦିନ ୧୧ଟା ସୁଦ୍ଧା ନୂଆପଡ଼ାରେ ସର୍ବାଧିକ ୨୬.୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪ ପ୍ରତିଶତ ଭୋଟଗ୍ରହଣ ହୋଇଥିଲା।
ସେହପରି ଗଜପତିରେ ୨୨.୦୨ ପ୍ରତିଶତ, କଳାହାଣ୍ଡିରେ ୨୪.୭୯ ପ୍ରତିଶତ, କୋରାପୁଟରେ ୨୬.୬୧ ପ୍ରତିଶତ, ମାଲକାନିଗିରିରେ ୨୨.୪୩ ପ୍ରତିଶତ, ନବରଙ୍ଗପୁରରେ ୨୪.୯୬ ପ୍ରତିଶତ ଓ ରାୟଗଡ଼ାରେ ୨୧.୮୧ ପ୍ରତିଶତ ମତଦାନ ହୋଇଥିଲା।
Tags: #Politics #OdishaPolitics #OdishaAssemblyElections2024 #Voting #Voters #Odisha #ECI #India


















