ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇରେ ସୋମବାର ହୋଇଥିବା ଘୂର୍ଣ୍ଣିଝଡ଼ ଓ ବର୍ଷା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଛି। ଏହି ଝଡ଼ରେ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଏକ ବିରାଟ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧିପାଇଛି। ଏହାସହ ୭୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି।
ସୋମବାର ଅପରାହ୍ଣ ୫ଟା ପରେ ମୁମ୍ବାଇରେ ଅଚାନକ ପାଗ ପରିବର୍ତ୍ତନ ହୋଇଥିଲା। ଏଠାରେ ପ୍ରବଳ ଜୋରରେ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଯୋଗୁଁ ଘାଟକୋପର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ଅନେକ ଲୋକେ ଛିଡ଼ା ହୋଇଥିଲେ।
ଏହି ସମୟରେ ଝଡ଼ ଯୋଗୁଁ ପାଖରେ ଥିବା ଏକ ବିରାଟ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପେଟ୍ରୋଲ ପମ୍ପ ଉପରେ ପଡ଼ିଯାଇଥିଲା। ହୋର୍ଡିଂଟି ପଡ଼ିଯିବା ଦ୍ଵାରା ପେଟ୍ରୋଲ ପମ୍ପର ଛାତ ଭୁଷୁଡ଼ି ତଳେ ଥିବା ଲୋକଙ୍କ ଉପରେ ପଡ଼ିଥିଲା। ଏହି ସମୟରେ ୮୮ ଜଣ ତଳେ ଚାପି ହୋଇଯାଇଥିଲେ।
ଏହାପରେ ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ପ୍ରଥମେ ୬୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ତେବେ ହୋର୍ଡିଂ ତଳେ ଫସି ରହିଥିବା ଆହୁରି କିଛି ଲୋକଙ୍କୁ ଉଦ୍ଧାର କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶେଷରେ ସମସ୍ତଙ୍କୁ ବାହାରକୁ ଅଣାଯାଇଥିଲା।
ଏହି ଦୁର୍ଘଟଣା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ହୋର୍ଡିଂଟି ଲାଗିବା ପାଇଁ ଅନୁମତି ଥିଲା କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ତେବେ ଭୁଷୁଡ଼ି ଥିବା ଏହି ହୋର୍ଡିଂଟିର ଆକାର ଅନୁମତି ଦିଆଯାଇଥିବା ଆକାରରୁ ବହୁତ ବଡ଼ ଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪୩ ଜଣ ଆହତ ଏବେ ବି ଚିକିତ୍ସାଧୀନ ଥିବା ବେଳେ ୩୧ ଜଣଙ୍କୁ ଡିସଚାର୍ଜ କରାଯାଇଛି।
Tags: #Mumbai #BillboardCollapse #Storm #Rains #Maharashtra