ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆସନ୍ତା ଜୁନ ୪ ତାରିଖରେ ଗଢ଼ିବ ଇଣ୍ଡି ମେଣ୍ଟ ସରକାର। ବଲାଙ୍ଗିରଠାରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ।
ରାହୁଲ ଗାନ୍ଧୀ ବୁଧବାର ସକାଳ ୯ଟାରେ ନୂଆଦିଲ୍ଲୀରୁ ବାହାରି ସାଢ଼େ ୧୧ଟା ବେଳେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ଝାରସୁଗୁଡ଼ା ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିଥିଲେ।
ବଲାଙ୍ଗିର କୋଶଳ କଳମଣ୍ଡଳ ପଡ଼ିଆରେ ଜନ ଆଶୀର୍ବାଦରେ ସଭାରେ ଯାଗ ଦେଇ ରାହୁଲ ଗାନ୍ଧୀ ବିଭିନ୍ନ ଜନହିତକର ଯୋଜନା ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ସେ କହିଥିଲେ, “ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବ ନାହିଁ। ଭାରତରେ ଇଣ୍ଡି ମେଣ୍ଟ ସରକାର ଆସିଲେ ପ୍ରଥମ ଥର ପାଇଁ ସମ୍ବିଧାନ ବଦଳାଯିବ।”
ସେ ଆହୁରି କହିଥିଲେ ଇଣ୍ଡି ମେଣ୍ଟ ସରକାର ଆସିଲେ ବନ୍ଦ ପଡ଼ିଥିବା ସମସ୍ତଙ୍କ ଫ୍ୟାକ୍ଟ୍ରି ଚାଲୁ କରାଯିବ। ଗାଁଠୁ ସହର ରୋଜଗାର ମିଳିବ। ପୂର୍ବରୁ ଯେମିତି ଚାଷୀଙ୍କ ଋଣ ଛାଡ଼ ହେଉଥିଲା ପୁଣି ସେହିପରି କରାଯିବ। ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନ ସହ ଗ୍ୟାରେଣ୍ଟି ଦେବୁ। ମନରେଗା ଯୋଜନାରେ ବତ୍ତର୍ମାନ ୨୫୦ ଟଙ୍କା ମଜୁରୀ ମିଳୁଛି, ଇଣ୍ଡି ମେଣ୍ଟ ସରକାର ଆସିଲେ ୪ଶହ ଟଙ୍କା ଦିଆଯିବ। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଦୁଇଗୁଣା କରାଯିବ ବୋଲି ରାହୁଲ ଗାନ୍ଧୀ କହିଥିଲେ।
ଏହା ସହ ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ ୩୦ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ଯୁବକଙ୍କ ଲାଗି କଂଗ୍ରେସ ଚାକିରି ଗ୍ୟାରେଣ୍ଟି ଦେଉଛି। ସବୁ ବେରୋଜଗାର ଗ୍ରାଜୁଏଟଙ୍କୁ ଏକ ବର୍ଷ ଚାକିରି ସହ ପ୍ରତିମାସରେ ୮,୫୦୦ଟଙ୍କା ଆକାଉଣ୍ଟରେ ପ୍ରଦାନ କରାଯିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
Tags: #Politics #OdishaPolitics #OdishaAssemblyElections2024 #RahulGandhi #CongressLeader #Odisha #India