ଓଡ଼ିଶାଲାଇଭ୍ ବ୍ୟୁରୋ

ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜଗନ୍ନାଥ ଚନ୍ଦନ ଯାତ୍ରା ଉତ୍ସବ। ଟୋକିଓର ଫୁନାବୋରି ସ୍ଥିତ ଶ୍ରୀରାଧା ଗୋବିନ୍ଦ ଇସ୍କନ୍ ମନ୍ଦିରରେ ମେ’ ୧୧ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜାପାନର ଶ୍ରୀଜଗନ୍ନାଥ ସୋସାଇଟି ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା।

ଏହି ଚନ୍ଦନ ଯାତ୍ରା ଉତ୍ସବ ଶ୍ରୀରାଧା ଗୋବିନ୍ଦ ମନ୍ଦିର ପରିସରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏଠାରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା, ଶ୍ରୀଜଗନ୍ନାଥ ସହସ୍ରନାମ ଓ ଶ୍ରୀଜିଉଙ୍କୁ ୧୦୦୮ ପୁଷ୍ପ ଅର୍ପଣ କରାଯାଇଥିଲା। ବହୁ ସଂଖ୍ୟାରେ ଭକ୍ତ ଏହି ଉତ୍ସବରେ ଯୋଗ ଦେଇଥିଲେ।

ଚନ୍ଦନ ଯାତ୍ରା ଉତ୍ସବ ଅବସରରେ ବୈଦିକ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା କରାଯାଇଥିଲା। ପଣ୍ଡିତ ମୁନିନ୍ଦ୍ର କୁମାର ପଣ୍ଡା, ଲୋପାମୁଦ୍ରା ଥଟୋଇ ପ୍ରମୁଖ ଏଠାରେ ପୂଜାବିଧି ସମ୍ପନ୍ନ କରିଥିଲେ। ଏହାପରେ ଇସ୍କନ ଓ ଅନ୍ୟସ୍ଥାନରୁ ଆସିଥିବା ଭକ୍ତମାନେ ଶ୍ରୀଜିଉଙ୍କୁ ପୁଷ୍ପ ଅର୍ପଣ କରିଥିଲେ। ଏହାପରେ ସମସ୍ତେ ମିଶି ଶ୍ରୀଜଗନ୍ନାଥ ସହସ୍ରନାମ ଉଚ୍ଚାରଣ କରିଥିଲେ।

ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମସ୍ତେ ଏକାଠି ମିଶି ପ୍ରସାଦ ସେବନ କରିଥିଲା। ଏହାପରେ ମନ୍ଦିରର ବୈଦିକ ସଂସ୍କୃତି କେନ୍ଦ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭାରତ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ଏବଂ ଜାପାନର ହିନ୍ଦୁ ମନ୍ଦିର ସଂଘ ପକ୍ଷରୁ ଏହି ଉତ୍ସବର ଆୟୋଜନରେ ସହଯୋଗ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ କମର୍ସ ଓ ଇଣ୍ଡଷ୍ଟ୍ରି ଆସୋସିଏସନ ଜାପାନର ସଭାପତି ଜଗମୋହନ ଏସ୍ ଚନ୍ଦ୍ରାନି, ଇସ୍କନ ଜାପାନର ଶୁଭେନ୍ଦୁ ପଣ୍ଡା ପ୍ରଭୁ, ବଳଦେବ ଦାସ ପ୍ରଭୁ ଓ କିଶୋରୀ ଦେବୀ ଦାସୀ ଏବଂ ଶ୍ରୀଜଗନ୍ନାଥ ସୋସାଇଟି ଜାପାନର ଆବାହକ ଜ୍ଞାନେନ୍ଦ୍ର ମିଶ୍ର ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।  

Tags: #ChandanJatraUtsav #SriJagannathSociety #LordJagannath #Culture #Tokyo #Japan

LEAVE A REPLY

Please enter your comment!
Please enter your name here