ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଅଧିକାଂଶ ଲୋକଙ୍କ ଦିନଚର୍ଯ୍ୟା ଚା’ କିମ୍ବା କଫିରୁ ଆରମ୍ଭ ହୋଇଥାଏ। ଏହାସହ କୌଣସି କର୍ମ କ୍ଷେତ୍ରରେ ତଥା ଦିନର ବିଭିନ୍ନ ସମୟରେ ଚା’ ଅବା କଫି ପିଇବା ଲୋକଙ୍କ ଏକ ଅଭ୍ୟାସ। ତେବେ ଏହି ଚା’ ଓ କଫି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏନେଇ ସତର୍କ କରାଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର)।
ନିକଟରେ ଆଇସିଏମଆର ପକ୍ଷରୁ ଭାରତୀୟଙ୍କ ପାଇଁ ଖାଦ୍ୟପେୟର ଏକ ଗାଇଡଲାଇନ ଜାରି କରାଯାଇଛି। ଏଥିରେ ୧୭ଟି ଖାଦ୍ୟପେୟର ବାବଦରେ ବିଭିନ୍ନ ବିଷୟକୁ ଉଲ୍ଲେଖ କରାଯାଇଛି। ଭାରତୀୟଙ୍କ ବିବିଧ ଖାଦ୍ୟ ଖାଇବା ସହ ସୁସ୍ଥ ଜୀବନଯାପନ ପାଇଁ ଅନେକ କଥା ଏଥିରେ ସାମିଲ କରାଯାଇଛି।
ତେବେ ଆଇସିଏମଆର ପକ୍ଷରୁ ହୋଇଥିବା ରିସର୍ଚ୍ଚ ଅନୁସାରେ ଚା’ ଓ କଫି ଉଭୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଉଭୟରେ କ୍ୟାଫେନ୍ ଥାଏ। ଯାହା ଶରୀରର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ଉତ୍ତେଜିତ କରିଥାଏ। ଏହାଦ୍ଵାରା ମାନସିକ ନିର୍ଭରଶୀଳତା ମଧ୍ୟ ବୃଦ୍ଧି ହୋଇ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଅଧିକ ଚା’ ଓ କଫି ପିଉଥିବା ଲୋକଙ୍କୁ ସତର୍କ କରାଇଛି ଆଇସିଏମଆର।
ଆଇସିଏମଆର ରିପୋର୍ଟ ଅନୁସାରେ ଏକ କପ୍ କଫିରେ (୧୫୦ ଏମଏଲ) ୮୦ ରୁ ୧୨୦ ମିଲିଗ୍ରାମ କ୍ୟାଫେନ୍ ଥାଏ। ସେହିପରି ଇନଷ୍ଟାଣ୍ଟ କଫିରେ ୫୦ରୁ ୬୫ ମିଲିଗ୍ରାମ ଏବଂ ଚା’ ରେ ୩୦ରୁ ୬୫ ମିଲିଗ୍ରାମ କ୍ୟାଫେନ୍ ଥାଏ। ଜଣେ ବ୍ୟକ୍ତି ଦୈନିକ ୩୦୦ ମିଲିଗ୍ରାମରୁ ଅଧିକ କ୍ୟାଫେନ୍ ଗ୍ରହଣ କରିବାକୁ ଆଇସିଏମଆର ପକ୍ଷରୁ ବାରଣ କରାଯାଇଛି।
ଭାରତରେ ଅଧିକାଂଶ ଲୋକ ଦିନକୁ ୨ରୁ ୩ ଥର ଚା’ କିମ୍ବା କଫି ପିଇଥାନ୍ତି। ହେଲେ ଅନେକ ଲୋକଙ୍କ ଚା’ ପିଇବାର କିଛି ସୀମା ନଥାଏ। ତେବେ ଏହି ଦୁଇ ଗରମ ପାନୀୟକୁ ଖାଦ୍ୟ ଗ୍ରହଣର ୧ ଘଣ୍ଟା ପୂର୍ବରୁ କିମ୍ବା ପରେ ନପିଇବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି। ଏହାଦ୍ଵାରା ଶରୀରୀରେ ଆଇରନ ଗ୍ରହଣର କ୍ଷମତା କମିଯିବାର ସମ୍ଭାବନା ରହିଛି। ଏଥିରେ ବ୍ୟକ୍ତିଙ୍କୁ ଆଇରନ ଅଭାବ ତଥା ଅନେମିଆ ଭଳି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
ଅନ୍ୟପଟେ କ୍ଷୀର ଚା’ କିମ୍ବା କଫି ବଦଳରେ ବ୍ଲାକ ଟି ଓ କଫି ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି ଆଇସିଏମଆର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଲୋକମାନଙ୍କୁ ନିୟମିତ ଫଳ, ପନିପରିବା ଓ ପୁଷ୍ଟିଶସ୍ୟ ଭଳି ବିବିଧ ଖାଦ୍ୟ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ଅଧିକ ତେଲ, ଲୁଣ ଓ ଚିନି ଥିବା ଖାଦ୍ୟରୁ ଦୂରେଇ ରହିବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି।
Tags: #Tea&Coffee #ICMRReport #HealthAdvisory #HelathRisk #India
Thanks for the information 👍