ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ସକାଳ ୯ଟା ସୁଦ୍ଧା ୬.୮୭ ପ୍ରତିଶତ ମତଦାନ ହୋଇଛି।
ବରଗଡ଼ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୧୨ ପ୍ରତିଶତ ମତଦାନ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪.୮୯ ପ୍ରତିଶତ, ବଲାଙ୍ଗିରରେ ୫.୭୬ ପ୍ରତିଶତ, କନ୍ଧମାଳରେ ୬.୭୯ ପ୍ରତିଶତ ଏବଂ ଆସ୍କାରେ ୭.୬୨ ପ୍ରତିଶତ ମତଦାନ ହୋଇଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।
ଓଡ଼ିଶାରେ ଚାଲିଛି ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ଏଥିରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା ଲୋକସଭା ଆସନ ସାମିଲ ଅଛି।
ଏହି ପର୍ଯ୍ୟାରେ ଓଡ଼ିଶାର ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୯,୧୪୮ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୧,୦୯୦ଟି ସହରାଞ୍ଚଳରେ ଓ ୮,୦୮୫ଟି ଗ୍ରାମାଞ୍ଚଳରେ ରହିଛି। ସେହିପରି ୧,୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା ଲୋକସଭା ଆସନ ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୩୪ ଜଣ ପୁରୁଷ ଏବଂ ୬ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୨୨୪ ଜଣ ପୁରୁଷ ଏବଂ ୪୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
ଅନ୍ୟପଟେ ଏହି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲା ଗୁଡ଼ିକରେ ୧୦୨ କମ୍ପାନି ସିଏପିଏଫ୍ ଫୋର୍ସ ନିୟୋଜିତ ହେବେ। ସେଥିରୁ କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗିର ଓ ବରଗଡ଼ରେ ୧୪, ଝାରସୁଗୁଡ଼ା ଓ ବୌଦ୍ଧରେ ୫, ସୋନପୁରରେ ୪ ଏବଂ ନୟାଗଡ଼ରେ ୨ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Tags: #Politics #OdishaPolitic #OdishaAssemblyElections2024 #Voting #Voters #Odisha #ECI #India








