ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ବିଶାଳ ରୋଡ୍‌ ସୋ’ କରିବା ପରେ ଅନୁଗୁଳରେ ପହଞ୍ଚି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ସେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି।

ନରେନ୍ଦ୍ର ମୋଦୀ କହିଛନ୍ତି, “ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ। ଦୀର୍ଘ ୬ ବର୍ଷ ହେଲା ରତ୍ନଭଣ୍ଡାର ଚାବିର ସନ୍ଧାନ ମିଳିପାରୁନି। ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ, ତାଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ। ଏଠାରେ ଖୋଦ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ମିଳୁନାହିଁ। ଯାଞ୍ଚ ରିପୋର୍ଟକୁ ଚାପି ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ।”

ବିଜେଡି ଶାସନର ୨୫ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କୁ କ’ଣ ମିଳିଛି ବୋଲି ମୋଦୀ ପ୍ରଶ୍ନ କରିଥିଲେ। ଭ୍ରଷ୍ଟାଚାର ସହ ରାଜ୍ୟରେ ବେରୋଜଗାରୀ ବଢ଼ିଛି, କାମଧନ୍ଦା ନପାଇଁ ବାହାର ରାଜ୍ୟକୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀଙ୍କ ପାଇଁ ଓଡ଼ିଶା ଆଜି ବର୍ବାଦ ହୋଇଛି। ଏହି ଭ୍ରଷ୍ଟାଚାରୀ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ସ୍ଵର ଚାପିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବ୍‌ଜା କରିରଖିଛନ୍ତି ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଗତ ୨୫ ବର୍ଷ ମଧ୍ୟରେ ଯେତିକି ବିକାଶ ହେବା କଥା ଓଡ଼ିଶାରେ ହୋଇନାହିଁ।  ଏଥର ସମୟ ଆସିଛି ସରକାର ବଦଳାଇବାର। ଓଡ଼ିଶାର ବିକାଶ ପାଇଁ ଏଠାରେ ଡବଲ ଇଞ୍ଜିନ ସରକାର ଆସିବା ଦରକାର ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

ଅନୁଗୁଳରେ କାର୍ଯ୍ୟକ୍ରମ ସାରି କଟକଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ବିଜେଡି ସରକାର ରାଜ୍ୟର ବିକାଶ ବଦଳରେ ଓଡ଼ିଶାକୁ ବାଲି ମାଫିଆ, ଖଣି ମାଫିଆ ଏବଂ ଜମି ମାଫିଆ ଦେଇଛନ୍ତି ବୋଲି କହିଥିଲେ। ଏହା ସହ ରାଜ୍ୟରେ ଭ୍ରଷ୍ଟାଚାର ବଢ଼ିବା ସହ ବେରୋଜଗାରୀ ବଢ଼ିଛି ବୋଲି ସେ କହିଥିଲେ।

କେବଳ ସେତିକି ନୁହେଁ କଟକରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନରେନ୍ଦ୍ର ମୋଦୀ। ସେ କହିଛନ୍ତି କଟକକୁ ଚାରିପଟୁ ନଦୀ ଘେରି ରହିଛି। ହେଲେ ଏଠି ପିଇବା ପାଣି ସମସ୍ୟା ରହିଛି। ରାଜ୍ୟବାସୀ ୨୫ ବର୍ଷର ଶାସନ ମଧ୍ୟରେ ଅତିଷ୍ଠ ହୋଇପଡ଼ିଲେଣି। ଏବେ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ମୋଦୀ କହିଥିଲେ।

ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ ଏଥର ପ୍ରଥମ ଥର ଆସିବ ଡବଲ ଇଞ୍ଜିନ ସରକାର। ଆସନ୍ତା ଜୁନ ୧୦ ତାରିଖରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ। ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ବିଜେପି ରାଜ୍ୟବାସୀ ୨୫ ବର୍ଷ ଦିଅନ୍ତୁ ବୋଲି କହିଥିଲେ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିବାକୁ ଘନ ଘନ ଓଡ଼ିଶା ଆସିବା ସହ ମାରାଥନ ପ୍ରଚାର କରୁଛନ୍ତି।

Tags: #Politics #OdishaPolitic #PMNarendraModi #Roadshow #Puri #OdishaAssemblyElections2024 #Odisha

LEAVE A REPLY

Please enter your comment!
Please enter your name here