ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ବିଶାଳ ରୋଡ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସକାଳେ ପୁରୀ ଶ୍ରୀମନ୍ଦିର ଯାଇ ବଡ଼ଠାକୁରଙ୍କ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ଆରମ୍ଭ ହୋଇଥିଲା ନରେନ୍ଦ୍ର ମୋଦୀଙ୍କ ରୋଡ ସୋ’।

ରାସ୍ତାର ଉଭୟ ପାର୍ଶ୍ଵରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ସିଂହଦ୍ଵାର ସମ୍ମୁଖରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିଥିଲେ ନରେନ୍ଦ୍ର ମୋଦୀ।

ଏହି ରୋଡ ସୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ରୋଡ ସୋ’ରେ ସାମିଲ ହୋଇଥିଲେ ଦଳୀୟ ନେତା, କର୍ମୀ, ସମର୍ଥକ ଏବଂ ସାଧାରଣ ଜନତା।

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ପାଇଁ କଡ଼ା ସୁକ୍ଷା ବଳୟ ଭିତରେ ରହିଥିଲା ପୁରୀ ସହର। ସୁରକ୍ଷା ନିମନ୍ତେ ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ ସହ ନିୟୋଜିତ ହୋଇଥିଲେ ୬୩ ପ୍ଲାଟୁନ ପୋଲିସ ଫୋର୍ସ। ଏଥିରେ ୩ ଜଣ ଏସପି ରାଙ୍କର ଅଧିକାରୀ ମୁତୟନ ରହିଥିବାବେଳେ ୮ ଜଣ ଆଡିସନାଲ ଏସପି, ୨୨ ଜଣ ଡିଏସପି, ୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ସବଇନ୍ସପେକ୍ଟର, ୩୪ ଜଣ ହାବିଲଦାର, ୨୦୨ ଜଣ କନଷ୍ଟେବଳ ଓ ୨୫୦ଜଣ ହୋମଗାର୍ଡ ନିୟୋଜିତ ଥିଲେ।

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ଵରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା କମିଟି ସଦସ୍ୟଙ୍କ ସହ ବୈଠକ କରିଥିଲେ। ନରେନ୍ଦ୍ର ମୋଦୀ ରାଜଭବନରେ ରାତ୍ରୀ ଯାପନ କରି ସୋମବାର ସକାଳେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହା ପରେ ସେ ରୋଡ ସୋ’ କରିଥିଲେ। ରୋଡ ସୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଏବଂ ତାଳବଣିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା।

Tags: #Politics #OdishaPolitic #PMNarendraModi #Roadshow #Puri #OdishaAssemblyElections2024 #Odisha

LEAVE A REPLY

Please enter your comment!
Please enter your name here