ଓଡ଼ିଶାଲାଇଭ୍ ବ୍ୟୁରୋ
“ଏଥର ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଶାରେ ପ୍ରଥମ ଥର ଚାଲିବ ଡବଲ ଇଞ୍ଜିନ ସରକାର। ବିଜେପି ସରକାର ଆସିଲେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିର ଗୁମର ଖୋଲିବ ଏବଂ ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ଦୋଷୀଙ୍କୁ ଉଚିତ୍ ଦଣ୍ଡ ଦିଆଯିବ”, ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ ଆୟୋଜିତ ବିଶାଳ ଜନ ସମାବେଶରେ ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ବିଭିନ୍ନ ପ୍ରସଙ୍ଗରେ ଅମିତ ଶାହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଓଡ଼ିଶାର କଳା ଓ ସଂସ୍କୃତିର ସୁରକ୍ଷା ଲାଗି ବିଜେପି ସରକାର ଆସିବା ଦରକାର। ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆଖିଦୃଶିଆ ବିକାଶ ହୋଇନାହିଁ। ବର୍ତ୍ତମାନ ସରକାର ବଦଳାଇବାର ସମୟ ଆସିଛି। ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଆ ଭାଷାରେ ମେଡିକାଲ ଶିକ୍ଷା ଦିଆଯିବ ବୋଲି ଅମିତ ଶାହ କହିଛନ୍ତି।
ଏହି ଅବସରରେ ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ସମ୍ବଲପୁର ଭୋଟରଙ୍କୁ ଅନୁରୋଧ କରିଥିଲେ ଅମିତ ଶାହ।
ଏହି ସମାବେଶରେ ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଜେପିର ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ବାଲେଶ୍ଵର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ସମାବେଶରେ ଯୋଗଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଦର୍ଶନ କରିଥିଲେ।
Tags: #Politics #OdishaPolitic #AmitShah #Sambalpur #OdishaAssemblyElections2024 #Odisha