ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ତଥା ସିମୁଳିଆର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ବୁଧବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।
“ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ରାଜନୀତିରେ ପ୍ରବେଶ କରିଥିଲି। ବିଜେଡିରେ ରହି ବିଧାୟକ ଭାବେ ମତେ ଅନେକ ବର୍ଷ ଲୋକଙ୍କ ସେବା କରିବାର ସୁଯୋଗ ମିଳିଲା। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ମଧ୍ୟ ମୁଁ ଓ ମୋ ପରିବାର ସିମୁଳିଆ ଏବଂ ଖଇରାବାସୀଙ୍କ ସେବାରେ ଲାଗି ରହିବୁ”, କହିଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଲେଶ୍ଵର ଜିଲ୍ଲା ସିମୁଳିଆରୁ ୨ଥର ବିଧାୟକ ରହିଥିଲେ। ୨୦୧୪ ଓ ୨୦୧୯ ମସିହାରେ ସେ ଏଠାରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ରହିଥିଲେ।
ଏଥର ନିର୍ବାଚନରେ ବିଜେଡି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସିମୁଳିଆରୁ ଟିକେଟ୍ ଦେଇନଥିଲା। ତାଙ୍କ ବଦଳରେ ନୂଆ ଚେହେରା ଭାବେ ଶୁଭାସିନୀ ସାହୁଙ୍କୁ ଦଳ ମଇଦାନରେ ଓହ୍ଲାଇଥିଲା, ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା।
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେଡି ଛାଡ଼ିବା ପରେ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କର ଏହି ଇସ୍ତଫା ବାଲେଶ୍ଵରରେ ବିଜେଡିକୁ ଶକ୍ତ ଝଟକା ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
Tags: #JyotiPrakashPanigrahi #BJD #OdishaPolitics #Simulia #Baleswar