ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଆସିଥିବା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସୁ ଆସୁ ବିଭିନ୍ନ ପ୍ରସଂଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲ୍ଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରଠାରେ ଆୟୋଜିତ ବିଜେପିର ବିଶାଳ ସମାବେଶରେ ଯୋଗଦେଇ ଯୋଗୀ ଆଦିତ୍ୟନାଥ କହିଥିଲେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଜମି, ଖଣି, ବାଲି ଏବଂ ଜଙ୍ଗଲ ମାଫିଆମାନେ ସାବାଡ଼ ହେବେ। ଉତ୍ତରପ୍ରଦେଶ ଭଳି ଏଠାରେ ବି ବୁଲଡୋଜର ଶୈଳୀ ମାଫିଆ ରାଜ ହଟାଯିବ।

ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ ଏବେ ଜନପ୍ରତିନିଧିଙ୍କ ବଦଳରେ ବାବୁମାନଙ୍କ ସରକାର ଚାଲିଛି। ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆଖିଦୃଶିଆ ବିକାଶ ହୋଇନାହିଁ। ବରଂ ବେରୋଜଗାରୀ, ଦୁର୍ନୀତି ବଢ଼ିଛି। ଓଡ଼ିଶାର ବିକାଶ ପାଇଁ ଏଥର ଏଠାରେ ଡବଲ ଇଞ୍ଜିନ ସରକାର ଆସିବା ଦରକାର। ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି ସେଠାରେ ଦ୍ରୁତ ବିକାଶ ହୋଇଛି ବୋଲି ସେ କହିଥିଲେ।

ରତ୍ନଭଣ୍ଡାର ପ୍ରସଂଗରେ ଯୋଗୀ ଆଦିତ୍ୟନାଥ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯେଉଁଠାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ସୁରକ୍ଷା ଦିଆଯାଇପାରୁ ନାହିଁ ସେ ରାଜ୍ୟର ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଥିଲେ ଯୋଗୀ ଆଦିତ୍ୟନାଥ। ଏହା ସହ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଦଣ୍ହ ଦେବା ବଳରେ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ। ପରେ ସେ ବିଜେପିର ଲୋକସଭା ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ।

ବାଣପୁରରେ ସମାବେଶ ସରିବା ପରେ ଯୋଗୀ ଆଦିତ୍ୟନାଥ କେନ୍ଦ୍ରପଡ଼ା ଜିଲ୍ଲା ମାହାଙ୍ଗାଠାରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେଇଥିଲେ। ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ ନାରା ଦେଇ  ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ ଯୋଗୀ। ସମାନ ଢଙ୍ଗରେ ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଦୁର୍ନୀତି, ଭ୍ରଷ୍ଟାରଚାର, ଗୁଣ୍ଡାରାଜ ଏବଂ ମାଫିଆ ରାଜ ହଟିବ ବୋଲି ସେ କହିଥିଲେ।

ସମାବେଶରେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଥିଲେ ଯୋଗୀ ଆଦିତ୍ୟନାଥ।

ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି ରହିଛି। ନିଜ ଦଳରୁ ପ୍ରାର୍ଥୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଲାଗି ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଉଛନ୍ତି ହେଭିଓ୍ଵେଟ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ପ୍ରଚାର କାର୍ଯ୍ୟର ଶେଷ ଦିନ ରହିଛି। ମେ’ ୨୫ ତାରିଖରେ ୬ଟି ଲୋକସଭା ଏବଂ ୪୨ଟି ବିଭାନସଭା ଆସନ ଲାଗି ଭୋଟ ପଡ଼ିବ।

Tags: #Politics #OdishaPolitics #AssemblyElections2024 #Odisha #YogiAdityanath#BJP #ElectionCampaign

LEAVE A REPLY

Please enter your comment!
Please enter your name here