ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ସକାଳେ ତାଙ୍କୁ ଖୋର୍ଦ୍ଧା ଜେଲରୁ ଅଣାଯାଇ ଏସସିବିର ମେଡିସିନ୍ ୱାର୍ଡ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା କାରଣ ଦର୍ଶାଇ ପ୍ରଶାନ୍ତଙ୍କ ଓକିଲଙ୍କ ଆବେଦନ ଆଧାରରେ ତାଙ୍କୁ ଚିକିତ୍ସା ପାଇଁ ଏସସିବିକୁ ଅଣାଯାଇଛି।
ପ୍ରଶାନ୍ତଙ୍କୁ ଡାଇବେଟିସ୍ ସହ ମେରୁଦଣ୍ଡରେ ସମସ୍ୟା ଯୋଗୁଁ ସେ ଅସୁସ୍ଥ ଥିବାରୁ ତାଙ୍କ ଓକିଲ ଚିକିତ୍ସା ପାଇଁ ଖୋର୍ଦ୍ଧା କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ଆଦେଶ ପରେ ଖୋର୍ଦ୍ଧା ଜେଲରେ ପ୍ରଶାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଭୋଟ ଗ୍ରହଣବେଳେ ବୁଥରେ ଗଣ୍ଡଗୋଳ ଓ ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ମାମଲାରେ ଏବେ ସମ୍ପୃକ୍ତ ବୁଥର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଏହାର ଯାଞ୍ଚ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ମେ’ ୨୫ ତାରିଖରେ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ବିଧାନସଭା ଆସନ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ ଓ ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବୁଥର ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀ ଏତଲା ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ପ୍ରଶାନ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଏଠାରେ ଜାମିନ ନାମଞ୍ଜୁର ହେବାପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଥିଲା।
Tags: #PrasantJagadev #Arrest #BJP #Politics #OdishaAssemblyElection2024 #Khordha