ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଚନ୍ଦନ ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଛି ଗୁରୁତର ଅଛନ୍ତି। ଗୁରୁତର ଆହତ ବ୍ୟକ୍ତିମାନଙ୍କୁ କଟକ ଏସସିବି ମେଡିକାଲ ଓ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବୁଧବାର ଚନ୍ଦନ ଯାତ୍ରାରେ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିଲା। ଏଥିଲାଗି ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମୟରେ ପୁଷ୍କରିଣୀର ଦେବୀ ଘାଟ ନିକଟରେ ବାଣ ଫୁଟା ଯାଉଥିଲା। ବାଣ ଫୁଟାଇବାବେଳେ ଅଚାନକ ଏକ ବାଣ ନିକଟରେ ଥିବା ବାଣ ଗଦା ଉପରେ ପଡ଼ିଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ବାଣ ବିସ୍ଫୋରଣ ଯୋଗୁଁ ସେଠାରେ ଉପସ୍ଥିତ ଭକ୍ତ ଓ କିଛି ସ୍ଥାନୀୟ ବାସିନ୍ଦା ଏହାର ଶିକାର ହୋଇଥିଲେ। ନିଆଁରେ ଅନେକଙ୍କ ଦେହ ଜଳି ଯାଇଥିଲା। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ପୋଖରୀକୁ ଡେଇଁ ପଡ଼ିଥିଲେ।

ଏହାପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଆହତଙ୍କୁ କଟକ ଏବଂ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା। ଏବେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଆଇସିୟୁରେ ରଖାଯାଇଛି।   

ଅନ୍ୟପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଚିକିତ୍ସା ପାଇଁ ସବୁ ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା କରାଯାଇଛି।

Tags: #ChandanJatra #CrackerBrust #NarendraPond #Puri  

LEAVE A REPLY

Please enter your comment!
Please enter your name here