ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ସେ ବାଲେଶ୍ଵରର ସିମୁଳିଆରେ ଦଳୀୟ ସମାବେଶରେ ଯୋଗଦେଇ କଂଗ୍ରେସ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିଲେ। ଏଠାରେ ସେ ବିଜେଡି ଓ ବିଜେପି ଉଭୟ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ରାହୁଲ ଗାନ୍ଧୀ ଗୁରୁବାର ଦିନ ୧୧ଟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ରାଜ୍ୟ କଂଗ୍ରେସର ନେତାମାନେ ସ୍ଵାଗତ କରିଥିଲେ। ଏହାପରେ ସେ ସିମୁଳିଆ ଅଭିମୁଖେ ବାହରିଥିଲେ।

“ଚଳିତ ବର୍ଷ କଂଗ୍ରେସ ଦେଶର ସମ୍ବିଧାନକୁ ବଞ୍ଚାଇବା ପାଇଁ ନିର୍ବାଚନ ଲଢୁଛି। ବିଜେପି ସମ୍ବିଧାନକୁ କୁଠାରଘାତ କରି ଆସୁଛି। ଓଡ଼ିଶାରେ ବିଜେପି ଓ ବିଜେଡି ଏକାଠି ଅଛନ୍ତି। ରାଜ୍ୟରେ ଉଭୟଙ୍କ ପାର୍ଟନରସିପ୍ ଚାଲିଛି। ଏମାନଙ୍କ ଚିନ୍ତାଧାରା ଏକ ପ୍ରକାରର। ଓଡ଼ିଶାର ଖଣି ସମ୍ପଦକୁ ଲୁଟ କରିବାକୁ ଏମାନେ ଏକ ହୋଇଛନ୍ତି। ଆମେ ଏହାକୁ ରୋକିବୁ”, କହିଛନ୍ତି ରାହୁଲ ଗାନ୍ଧୀ।

ସେ ଆହୁରି ମଧ୍ୟ କହିଛନ୍ତି, “ବିଜେପି ମୋ ନାଁରେ ୨୪ଟି ମାମଲା କରିଛି। ହେଲେ ମୁଁ ଏହାକୁ ନେଇ ଭୟଭୀତ ହୋଇ ନାହିଁ। କୋଟି କୋଟି ଭାରତବାସୀଙ୍କ ସ୍ନେହ ମତେ ମିଳିଛି। ଆମେ କେନ୍ଦ୍ରରେ ସରକାର ଗଢ଼ିଲେ ଚାଷୀ, ଗରିବ, ଯୁବକ, ଆଦିବାସୀ ଓ ପଛୁଆ ବର୍ଗଙ୍କ ପାଇଁ କାମ କରିବୁ। ବିଜେପି ଭଳି କେବଳ ଉଦ୍ୟୋଗପତିଙ୍କ ପାଇଁ ନୁହେଁ। ଆମେ ମହାଲକ୍ଷ୍ମୀ ଯୋଜନା ଆରମ୍ଭ କରି ଗରିବ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ। ଏହାଦ୍ୱାରା ଭାରତର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।”   

ବିଜେପି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିଛି ବୋଲି ଏହି ସମାବେଶରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ। ଦେଶରେ ଏବଂ ଓଡ଼ିଶାରେ ମହଙ୍ଗା ଓ ବେରୋଜଗାରୀ ସମସ୍ୟାକୁ ନେଇ ସେ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ଏହାସହ କଂଗ୍ରେସ ନେତୃତ୍ୱରେ ଦେଶରେ ଲୋକଙ୍କ ସରକାର ଗଠନ କରିବାକୁ ଆହ୍ଵାନ ଦେଇଥିଲେ ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସର ନେତା ଓ କର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ସଭାସ୍ଥଳୀରେ ହଜାର ହଜାର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କା, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରି ଡକ୍ଟର ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସମେତ ଅନ୍ୟ ନେତାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #OdishaAssemblyElections2024 #RahulGandhi #ElectionCampaign #Congress #Odisha 

LEAVE A REPLY

Please enter your comment!
Please enter your name here