ଓଡ଼ିଶାଲାଇଭ୍ ବ୍ୟୁରୋ

“କାର୍ତ୍ତିକ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି। ଓଡ଼ିଶାବାସୀ ମୋ ଉତ୍ତରାଧିକାରୀ କିଏ ହେବ ସ୍ଥିର କରିବେ”

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗୁରୁବାର ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ସମୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କାର୍ତ୍ତିକ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ଏ ବିଷୟରେ ଓଡିଶାବାସୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମିଛ ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ଚଳିତ ନିର୍ବାଚନରେ ବିଜେଡି ବଡ଼ ବିଜୟ ହାସଲ କରିବ ବୋଲି ଦୋହରାଇଛନ୍ତି ନବୀନ ପଟ୍ଟନାୟକ।

“ଚଳିତ ବର୍ଷ ଓଡ଼ିଶାରେ ନିର୍ବାଚନ ଜିତିବା ପାଇଁ ବିଜେପି ଅପପ୍ରଚାର ଚଳାଇଛି। ମୋ ସ୍ଵାସ୍ଥ୍ୟକୁ ନେଇ ବିଜେପିର ନେତାମାନେ ମିଛ କହିବାରେ ଲାଗି ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିଲେ, ମତେ ଫୋନ କରି ପଚାରି ପାରିଥାନ୍ତେ। ସେମାନେ କେବଳ ଭୋଟ୍ ପାଇଁ ଏଭଳି କରୁଛନ୍ତି। ରାଜ୍ୟବାସୀଙ୍କ ସେବା କରିବାକୁ ମୁଁ ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛି। ବିଭିନ୍ନ ସ୍ଥାନକୁ ଯାଇ ନିର୍ବାଚନ ପ୍ରଚାର କରୁଛି”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “କାର୍ତ୍ତିକ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି। ସେ ଏଥର ନିର୍ବାଚନ ଲଢୁନାହାନ୍ତି। ମୋ ଉତ୍ତରାଧିକାରୀ ବିଷୟରେ ରାଜ୍ୟବାସୀ ସ୍ଥିର କରିବେ। ମୁଁ ସରକାରରେ ସବୁ ନିଷ୍ପତ୍ତି ନେବା ସହ କ୍ୟାବିନେଟରେ ଅଧ୍ୟକ୍ଷତା କରିଥାଏ। ବିରୋଧୀ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ଆଣିଛନ୍ତି। ରାଜନୀତିରେ ମୋର କାହାପ୍ରତି ଆକ୍ରୋଶ ନାହିଁ।”

ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ ବୋଲି ନବୀନ ପଟ୍ଟନାୟକ ଏଠାରେ ଦମ୍ଭୋକ୍ତି ଭରିଥିଲେ। ଏହାସହ ଓଡ଼ିଶାର ହିତ ପାଇଁ ବିଜେଡି ସବୁବେଳେ କାମ କରି ଆସିଛି ଓ ଆଗକୁ ବି କରିବ ବୋଲି ସେ କହିଥିଲେ।

Tags: #NaveenPatnaik #BJD #OdishaAssemblyElection #Politics #Odisha

LEAVE A REPLY

Please enter your comment!
Please enter your name here