ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ମାରୁତି ମିଡିଆ ପକ୍ଷରୁ ପ୍ରକାଶିତ ପୁସ୍ତକ ‘୧୦୦ ଇଣ୍ଡଷ୍ଟ୍ରିଜ୍ ଇନ ଓଡ଼ିଶା’ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ ଓଡ଼ିଶାର ୧୦୦ରୁ ଅଧିକ କମ୍ପାନି ବିଷୟରେ ତଥ୍ୟ ଉଲ୍ଲେଖ ରହିଛି। ଶୁକ୍ରବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକଟିର ଉନ୍ମୋଚନ କରିଥିଲେ।

ଏହି ବହିଟିକୁ ମାରୁତି ମିଡିଆ ତରଫରୁ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର (ୟୁସିସିଆଇଏଲ୍) ସହଯୋଗରେ ପ୍ରକାଶିତ କରାଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ନୂଆ ପୁରୁଣା ଶିଳ୍ପ ତଥା କଳ କାରଖାନା ବାବଦରେ ବିଭିନ୍ନ କଥା ଜାଣିବାକୁ ମିଳିବ।

ପୁସ୍ତକରେ ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ, ବିଜୁ ପଟ୍ଟନାୟକଙ୍କ ଓଡ଼ିଶା ଟେକ୍ସଟାଇଲ ମିଲ୍ସ, ଟିଟିଲାଗଡ଼ର ପେପର ମିଲ୍ ଭଳି ପୁରୁଣା କମ୍ପାନିର କଥା ମଧ୍ୟ ଉଲ୍ଲେଖ କରାଯାଇଛି। ସେହିପରି ଓଡ଼ିଶାର ଶିଳ୍ପ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଥିବା କମ୍ପାନି ଏବଂ ରାଜ୍ୟର ଉଦୀୟମାନ କମ୍ପାନିଗୁଡ଼ିକ ବିଷୟରେ ମଧ୍ୟ ବହିରେ ଲେଖା ପ୍ରକାଶ ପାଇଛି।

“ଏହି ପୁସ୍ତକ ଦ୍ଵାରା ଓଡ଼ିଶାର ଶିଳ୍ପ କ୍ଷେତ୍ର ବିଷୟରେ ବହୁତ କଥା ଜାଣିହେବ। ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ଉପରେ ରିସର୍ଚ୍ଚ କରୁଥିବା ବ୍ୟକ୍ତିବିଶେଷ ଏବଂ ଶିଳ୍ପାନୁଷ୍ଠାନ ପାଇଁ ଏହା ବେଶ୍ ଉପାଦେୟ ହୋଇପାରିବ। ଯେଉଁମାନେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ପାଦ ଥାପିବାକୁ ଚାହୁଁଛନ୍ତି ପୁସ୍ତକଟି ସେମାନଙ୍କୁ ଉତ୍ସାହିତ କରିବ”, କହିଛନ୍ତି ଅସିତ ତ୍ରିପାଠୀ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୬୦ରୁ ଅଧିକ ଶିଳ୍ପସଂସ୍ଥାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଠାରେ ମିଡିଆ ବର୍ଗରେ ରାଜ୍ୟର ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶାଲାଇଭ୍’ ସମ୍ବର୍ଦ୍ଧିତ ହୋଇଥିଲା। ‘ଓଡ଼ିଶାଲାଇଭ୍’ର ପ୍ରତିଷ୍ଠାତା ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଏହି ସମ୍ମାନ ଗ୍ରହଣ କରିଥିଲେ।  

ଏହି କାର୍ଯ୍ୟକ୍ରମରେ ୟୁସିସିଆଇଏଲର ସଭାପତି ବ୍ରହ୍ମାନନ୍ଦ ମିଶ୍ର, ମାରୁତି ମିଡିଆର ନିର୍ଦ୍ଦେଶକ ମନୋଜ ପୃଷ୍ଟି ଏବଂ ୟୁସିସିଆଇଏଲର ସମ୍ପାଦକ ଅଶୋକ ସାରଦା ପ୍ରମୁଖ ଯୋଗ ଦେଇଥିଲେ।

Tags: #100IndustriesinOdisha #BookLaunch #MarutiMedia #UCCIL #Bhubaneswar

LEAVE A REPLY

Please enter your comment!
Please enter your name here