ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସରିଛି ଲୋକସଭା ନିର୍ବାଚନ ୨୦୨୪। ମଙ୍ଗଳବାର ପ୍ରକାଶ ପାଇବାକୁଥିବା ଏହାର ଫଳାଫଳ ଉପରେ ସାରା ଦେଶର ନଜର ରହିଛି। ତେବେ ଏହା ପୂର୍ବରୁ ନିର୍ବାଚନ ଫଳାଫଳ ସମ୍ବନ୍ଧୀୟ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ପ୍ରକାଶ ପାଇଥିଲା। ପ୍ରାୟ ସବୁ ଏକଜିଟ୍ ପୋଲରେ କେନ୍ଦ୍ରରେ ବିଜେପି ନେତୃତ୍ଵରେ ଏନଡିଏ ସରକାର ଆସୁଥିବାର ଅନୁମାନ କରାଯାଇଛି। ଏହାକୁ ନେଇ ରାଜନୈତିକ କରିଡରରେ କମ୍ପନ ସୃଷ୍ଟି ହୋଇଛି। ତେବେ ଏକଜିଟ୍ ପୋଲ୍ କେତେ ଠିକ୍, କେତେ ଭୁଲ ଏହାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।
ଏନଡିଏର ଦଳମାନେ ଏକଜିଟ୍ ପୋଲକୁ ସ୍ଵାଗତ କରିଥିବାବେଳେ ବିରୋଧୀ ଇଣ୍ଡି ମେଣ୍ଟ ଏହାକୁ ପ୍ରତ୍ୟାଖାନ କରିଛି। ଚଳିତ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ୨୯୫ରୁ ଅଧିକ ଆସନରେ ବିଜୟୀ ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦମ୍ଭୋକ୍ତି ଭରିଛନ୍ତି। ଅନ୍ୟପଟେ ବିଜେପି ମଧ୍ୟ ନିର୍ବାଚନରେ ୪୦୦ ପାର୍ କରିବାର ନିଜ ନାରାକୁ ପୁଣି ଦୋହରାଇଛି। ତେବେ ମଙ୍ଗଳବାରର ନିର୍ବାଚନୀ ଫଳାଫଳ ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇବ ବୋଲି କୁହାଯାଉଛି।
ଅନ୍ୟପଟେ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଏକଜିଟ୍ ପୋଲକୁ ସାମ୍ନାକୁ ଆସିଛି। କିଛି ଜାତୀୟ ଏବଂ ଓଡ଼ିଶାର ଗଣମାଧ୍ୟମ ପକ୍ଷରୁ ଜାରି ହୋଇଥିବା ଏକଜିଟ୍ ପୋଲରେ ଓଡ଼ିଶାରେ ସରକାର ଗଢ଼ିବା ନେଇ ମିଶ୍ରିତ ଚିତ୍ର ସାମ୍ନାକୁ ଆସିଛି।
ଏକଜିଟ୍ ପୋଲରେ ଓଡ଼ିଶାର ଚିତ୍ର
ଇଣ୍ଡିଆ ଟୁଡେ ଓ ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡି ୬୨ରୁ ୮୦ ଆସନ ଓ ବିଜେପି ମଧ୍ୟ ୬୨ରୁ ୮୦ ଆସନ ଜିତିବ ବୋଲି କୁହାଯାଇଛି। ଏହାସହ କଂଗ୍ରେସ ୫ରୁ ୮ଟି ଆସନ ଜିତିବ ବୋଲି ଅନୁମାନ କରାଯାଇଛି। ଏଥିରେ ଓଡ଼ିଶାରେ ଝୁଲା ସରକାର ହେବ ବୋଲି ଅନୁମାନ କରାଯାଇଛି।
ସେହିପରି ଜନ୍ କି ବାତ୍ ସର୍ଭେ ଅନୁସାରେ ବିଜେଡିକୁ ଓଡ଼ିଶା ବିଧାନସଭାରେ ୮୧ଟି ଓ ବିଜେପିକୁ ୫୮ଟି ଆସନ ମିଳିପାରେ। ଉଭୟ ଦଳଙ୍କ କ୍ଷେତ୍ରରେ ୧୨ଟି ଆସନ ଉପର ତଳ ହୋଇପାରେ। ଏହାସହ କଂଗ୍ରେସ ୫ରୁ ୮ ଆସନରେ ବିଜୟୀ ହୋଇପାରେ ବୋଲି ସର୍ଭେରେ ଦର୍ଶା ଯାଇଛି।
ତେବେ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍ ପୋଲରେ ଓଡ଼ିଶାରେ ବିଜେଡି ପୁଣି ସରକାର କରୁଥିବା କୁହାଯାଇଛି। ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେଡି ୧୦୦ରୁ ୧୧୫ଟି ଆସନ ଓ ବିଜେପି ୩୦ରୁ ୩୮ଟି ଆସନ ଜିତବ ବୋଲି କୁହାଯାଇଛି।
ଅନ୍ୟପଟେ ଓଡ଼ିଶାର ଗଣମାଧ୍ୟମ ସଂସ୍ଥା ପ୍ରଗତିବାଦୀ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ବିଧାନସଭା ନିର୍ବାଚନରେ ବିଜେଡି ୯୪ଟି, ବିଜେପି ୪୧ଟି, କଂଗ୍ରେସ ୧୦ଟି ଏବଂ ଅନ୍ୟ ପ୍ରାର୍ଥୀ ୨ଟି ଆସନ ଜିତିବେ ବୋଲି କୁହାଯାଇଛି।
ସେହିପରି ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ଅନୁସାରେ ଓଡ଼ିଶାରେ ବିଜେଡି ୧୧୭ଟି ଆସନରେ ଜିତୁଥିବା ଦର୍ଶାଯାଇଛି। ଏହାସହ ବିଜେପି ୧୧ଟି ଆସନରେ ଜିତୁଥିବା ଦର୍ଶାଯାଇଛି। ଏହି ଏକଜିଟ୍ ପୋଲ ପାଇଁ ରାଜ୍ୟର ଗ୍ରାମାଞ୍ଚଳରେ ସର୍ଭେକୁ ଅଧିକ ଗୁରୁତ୍ଵ ଦିଆଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ୧୧୫ରୁ ଅଧିକ ଆସନ ଜିତି ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେଡିର ନିଜସ୍ଵ ସର୍ଭେ ଅନୁସାରେ ଏହି ପୂର୍ବାନୁମାନ କରାଯାଇଛି।
ଏକଜିଟ୍ ପୋଲ୍ କେତେ ଗ୍ରହଣୀୟ?
ତେବେ ଲୋକସଭା ଓ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲକୁ ଅନେକ ଲୋକ ବିଶ୍ଵାସ କରୁଥିବାବେଳେ ଅନେକ ଏହାକୁ ଗ୍ରହଣ କରିନାହାନ୍ତି। ମଙ୍ଗଳବାର ଚୂଡ଼ାନ୍ତ ଫଳାଫଳ ଆସିଲେ ହାର୍ ଜିତର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସେମାନେ କହିଛନ୍ତି। ଅନେକ ସମୟରେ ଏକଜିଟ୍ ପୋଲ୍ ଆକଳନ ଭୁଲ ପ୍ରମାଣିତ ହୋଇଥିବାର ନଜିର ରହିଛି।
ତେବେ ବିଧାନସଭା ଆସନ ଶାସକ ବିଜେଡି ହାତକୁ ଯିବ ନା ଏହାକୁ ଅକ୍ତିଆର କରିବାରେ ବିଜେପି ସଫଳ ହେବ, ଏନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ମଙ୍ଗଳବାର ଫଳାଫଳ ଘୋଷଣା ହେଲେ ଏହାର ଚିତ୍ର ସ୍ପଷ୍ଟ ହେବ।
ତେବେ ଏକଜିଟ୍ ପୋଲ୍ ନିର୍ବାଚନୀ ଫଳାଫଳର ଏକ ଅନୁମାନ ମାତ୍ର। ଏହା ଉପରେ ଆଖିବୁଜି ବିଶ୍ଵାସ କରାଯାଇ ପାରିବନାହିଁ ବୋଲି ଅନେକ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।
Tags: #LoksabhaElection2024 #ExitPoll #OdishaAssemblyElection #Politics #Odisha