ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ରାଜ୍ୟରେ କିଏ ଗଢ଼ିବ ସରକାର ସେନେଇ ସ୍ପଷ୍ଟ ହେବ ଚିତ୍ର। ଏନେଇ ରାଜ୍ୟରେ ୬୯ଟି ସ୍ଥାନରେ ହୋଇଥିବା ମତ ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୦୨୪ର ଏହି ମହାସମରରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରଦର୍ଶନ କିଭଳି ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଓଡ଼ିଶାରେ ବିଜୟକୁ ନେଇ ବିଜେପି କ୍ୟାମ୍ପରେ ଉତ୍ସବର ମାହୋଲ। ଖାଁ ଖାଁ ଶଙ୍ଖ ଭବନ। ସନ୍ଧ୍ୟା ୬ଟା ସୁଦ୍ଧା ବିଜେପି ଓଡ଼ିଶାରେ ୨୦ଟି ଆସନ ଜିତି ସାରିଥିବା ବେଳେ ୬୦ଟି ଆସନରେ ଆଗୁଆ ଚାଲିଛି। ସେହିପରି ବିଜେଡି ୪୯ଟି, କଂଗ୍ରେସ ୧୪ଟି, ସିପିଆଇଏମ ଗୋଟିଏ ଓ ୩ଟି ଆସନରେ ସ୍ଵାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି।

ଭୋଗରାଇରେ ଜିତିଲା ବିଜେଡି

ଭୋଗରାଇରେ ବିଜେଡି ପ୍ରାର୍ଥୀ ଗୌତମବୁଦ୍ଧ ଦାସ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସଙ୍କୁ ୬୦୦୦ରୁ ଅଧିକ ଭୋଟରେ ହରାଇଲେ ଗୌତମ।

ରାଉରକେଲାରେ ଜିତିଲେ ସାରଦା, ହାରିଲେ ଦିଲ୍ଲୀପ

  • ରାଉରକେଲା ଆସନରେ ପୁଣି ବିଜୟୀ ହୋଇଛନ୍ତି ବିଜେଡି ନେତା ସାରଦା ନାୟକ। ସେ ବିଜେପିର ହେଭିୱେଟ୍ ନେତା ଦିଲ୍ଲୀପ ରାୟଙ୍କୁ ୩,୫୫୨ ଭୋଟରେ ପରାସ୍ତ କରିଛନ୍ତି।

ନୂଆପଡ଼ା ବିଧାନସଭାରେ ଜିତିଲା ବିଜେଡି

  • ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢ଼ୋଲକିଆ ନିର୍ବାଚନ ଜିତିଛନ୍ତି। ଏଠାରେ ସେ ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ୧୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ଖୋର୍ଦ୍ଧାରେ ବିଜୟୀ ହେଲେ ବିଜେପିର ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ୮,୪୩୬ ଭୋଟରେ ପରାସ୍ତ କରିଛନ୍ତି।

ବୌଦ୍ଧରେ ଜିତିଲେ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ

  • ବୌଦ୍ଧ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ। ସେ ପ୍ରାୟ ୨୬୦୦ରୁ ଅଧିକ ଭୋଟରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତଙ୍କୁ ହରାଇଛନ୍ତି।

ଧାମନଗରରେ ବାଜି ମାରିଲା ବିଜେପି, ଜିତିଲେ ସୂର୍ଯ୍ୟବଂଶୀ ସୁରଜ

  • ଧାମନଗର ଆସନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ନିର୍ବାଚନ ଜିତିଛନ୍ତି। ସେ ୮,୧୦୩ ଭୋଟରେ ବିଜେଡିର ସଞ୍ଜୟ କୁମାର ଦାସଙ୍କୁ ପରାସ୍ତ କରିଛନ୍ତି।

ଓଡ଼ିଶାରେ ବାଜି ପଲଟାଇଲା ବିଜେପି

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ଚମକାଇଛି। ଅପରାହ୍ଣ ୪ଟା ୩୦ ସୁଦ୍ଧା ଦଳ ରାଜ୍ୟର ୮୧ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ ବିଜେଡି ୪୭ଟି, କଂଗ୍ରେସ ୧୫ଟି, ସିପିଆଇଏମ ଗୋଟିଏ ଓ ୩ଟି ଆସନରେ ସ୍ଵାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି।

ବ୍ରଜରାଜନଗରରେ ଜିତିଲେ ବିଜେପିର ସୁରେଶ ପୂଜାରୀ

  • ବ୍ରଜରାଜନଗର ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ବିଜେପି ନେତା ସୁରେଶ ପୂଜାରୀ। ସେ ବିଜେଡିର ଅଳକା ମହାନ୍ତିଙ୍କୁ ୨୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ଝାରସୁଗୁଡ଼ାରେ ହରିଲେ ଦୀପାଳି, ଜିତିଲେ ଟଙ୍କଧର

  • ଝାରସୁଗୁଡ଼ା ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ସେ ନିଜ ପ୍ରତିଦ୍ଵନ୍ଦ୍ଵୀ ଦୀପାଳି ଦାସଙ୍କୁ ପ୍ରାୟ ୧,୩୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ନିମାପଡ଼ା, ବ୍ରହ୍ମଗିରି ଓ ସତ୍ୟବାଦୀରେ ବିଜେପି ଆଗୁଆ

  • ନିମାପଡ଼ାରେ ୧୩ ରାଉଣ୍ଡ ସୁଦ୍ଧା ବିଜେପିର ପ୍ରଭାତୀ ପରିଡ଼ା ବିଜେଡ଼ି ପ୍ରାର୍ଥୀଙ୍କଠାରୁ ୨,୬୨୭ ଭୋଟ୍ ବ୍ୟବଧାନରେ ଆଗୁଆ ଅଛନ୍ତି। ସେଠାରେ ଆଉ ୧୫ ରାଉଣ୍ଡ ଭୋଟ୍ ଗଣତି ହେବ।
  • ବ୍ରହ୍ମଗିରି ଆସନରେ ଏଥର ମଧ୍ୟ ପଦ୍ମ ଆଗରେ ରହିଛି। ୨୦୧୯ରେ ବିଜେପିର ଲଳିତେନ୍ଦୁ ମହାପାତ୍ର ସଞ୍ଜୟ ଦାସବର୍ମାଙ୍କୁ ହରାଇଥିଲେ। ଚଳିତ ଭୋଟ୍‌ରେ ଲଳିତେନ୍ଦୁଙ୍କ ଝିଆରୀ ତଥା ତାଙ୍କର ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି।
  • ବ୍ରହ୍ମଗିରିରେ ଅପରାହ୍ଣ ୨ଟା ସୁଦ୍ଧା ଉପାସନା ୪୩ ହଜାର ୭୪୦ ଭୋଟ୍ ପାଇଛନ୍ତି। ୧୨ ରାଉଣ୍ଡ ଫଳାଫଳ ସୁଦ୍ଧା ଉପାସନା ବିଜେଡ଼ି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ୪,୭୬୧ ଭୋଟ୍‌ରେ ଆଗୁଆ ଅଛନ୍ତି।
  • ସେହିପରି ସତ୍ୟବାଦୀ ଆସନରେ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ର ଆଗୁଆ ଅଛନ୍ତି। ସେ ବିଜେଡ଼ିର ଟାଣୁଆ ନେତା ସଞ୍ଜୟ ଦାସ ବର୍ମାଙ୍କଠାରୁ ଆଗୁଆ ଅଛନ୍ତି। ସେଠାରେ ୧୬ ରାଉଣ୍ଡ ସୁଦ୍ଧା ବିଜେପି ୧୧ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଆଗରେ ଚାଲିଛି।

ପୁରୀରେ କଡ଼ା ଟକ୍କର

  • ପୁରୀ ବିଧାନସଭା ଆସନରେ ବିଜେପିର ଜୟନ୍ତ କୁମାର ଷଡଙ୍ଗୀ ବିଜେଡ଼ିରୁ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି। ୧୧ ରାଉଣ୍ଡ ଭୋଟ୍‌ ଗଣତି ସୁଦ୍ଧା (ଅପରାହ୍ଣ ୧ଟା ୪୦) ଜୟନ୍ତଙ୍କୁ ମିଳିଛି ମୋଟ୍ ୩୩ ହଜାର ୨୯୩ ଭୋଟ୍।
  • ଏଠାରେ ବିଜେଡ଼ିର ସୁନିଲ୍ କୁମାର ମହାନ୍ତି ୩୪ ହଜାର ୮୦୦ ଭୋଟ୍ ପାଇ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସୁନିଲ ଜୟନ୍ତଙ୍କଠାରୁ ୧୫୦୦ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।

ଦୁଇଟି ଆସନରେ ଆଗୁଆ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • ଦିନ ୧ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ଆଗୁଆ ହୋଇଛନ୍ତି। ସେ ହିଞ୍ଜିଳିରେ ୧୬ ହଜାର ୧୩ଟି ଭୋଟ୍ ପାଇଥିବାବେଳେ କଣ୍ଟାବାଞ୍ଜିରେ ୨୧,୯୭୮ ଭୋଟ୍ ପାଇଛନ୍ତି।
  • ଦିନ ୧୨ଟା ସୁଦ୍ଧା ଓଡ଼ିଶାର ୧୪୭ଟି ଆସନରୁ ବିଜେପି ୭୬ଟି, ବିଜେଡି ୫୬ଟି, କଂଗ୍ରେସ ୧୧ଟି, ସିପିଆଇଏମ ଗୋଟିଏ ଓ ୨ଟି ଆସନରେ ଅନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି।
  • ବିଜେଡିର ପ୍ରମୁଖ ନେତାମାନଙ୍କ ମଧ୍ୟରେ ମହାକାଳପଡ଼ାରେ ଅତନୁ ସବ୍ୟସାଚୀ ନାୟକ, ବଡ଼ମ୍ବାରୁ ଦେବୀ ପ୍ରସାଦ ମିଶ୍ର, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ପ୍ରସାଦ ମହାରଥୀ ଏବଂ ରାଉରକେଲାରୁ ସାରଦା ପ୍ରସାଦ ନାୟକ ପଛୁଆ ଚାଲିଛନ୍ତି।
  • ଆଳିରୁ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ, ବାଙ୍କୀରୁ ଦେବୀରଞ୍ଜନ ତ୍ରିପାଠୀ, ଝାରସୁଗୁଡ଼ାରୁ ଦୀପାଳି ଦାସ, ପୁରୀରୁ ସୁନୀଲ ମହାନ୍ତି ପ୍ରମୁଖ ଆଗୁଆ ରହିଛନ୍ତି।
  • ରାଉରକେଲା ଆସନରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗୁଆ ଅଛନ୍ତି। ସେହିପରି ବ୍ରହ୍ମଗିରିରେ ଉପାସନା ମହାପାତ୍ର, ପିପିଲିରେ ଆଶ୍ରିତ ପଟ୍ଟନାୟକ, ନିମାପଡ଼ାରେ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ଏକାମ୍ରରେ ବାବୁ ସିଂହ, ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦ୍ଦେବ ଏବଂ ରଣପୁରରେ ସୁରମା ପାଢ଼ୀ ଆଗରେ ଚାଲିଛନ୍ତି।
  • ଦିନ ୧୧ଟା ସୁଦ୍ଧା ଓଡ଼ିଶାର ୧୨୪ଟି ଆସନରୁ ବିଜେପି ୬୫ଟି, ବିଜେଡି ୪୫ଟି, କଂଗ୍ରେସ ୧୦ଟି, ସିପିଆଇଏମ ଗୋଟିଏ, ଜେଏମଏମ ୨ଟି ଆସନରେ ଆଗୁଆ ରହିଛି।
  • ଚାନ୍ଦବାଲି ଆସନରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଗୁଆ।
  • ହିଞ୍ଜିଳି ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗୁଆ।
  • ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୩ଟି ବିଧାନସଭା ଆସନରୁ ବିଜେପି ୨୫ଟି, ବିଜେଡି ୧୧ଟି, କଂଗ୍ରେସ ୫ଟି ଓ ୨ଟି ଆସନରେ ଅନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି।
  • ଆରମ୍ଭରୁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଅଳ୍ପ ବ୍ୟବଧାନରେ ବିଜେପି ଆଗୁଆ ରହିଛି।
  • ଭୋଟ୍ ଗଣତିରେ ପ୍ରଥମେ ପୋଷ୍ଟାଲ ବାଲଟଗୁଡ଼ିକର ଗଣନା ଚାଲିଛି।

Tags: #OdishaAssemblyElections2024 #CountingUpdate #Elections2024 #IndiaVotes #Politics #ECI #Odisha #India #ଓଡ଼ିଶାବିଧାନସଭାନିର୍ବାଚନ୨୦୨୪

LEAVE A REPLY

Please enter your comment!
Please enter your name here