ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ହାରିଯାଇଛନ୍ତି। ନବୀନ ବାବୁଙ୍କ ୨୭ ବର୍ଷର ରାଜନୀତି ଜୀବନରେ ଏହା ସବୁଠାରୁ ବଡ଼ ଧକ୍କା। ତେବେ ତାଙ୍କର ପାରମ୍ପରିକ ଗଡ଼ ହିଞ୍ଜିଳିରୁ ନବୀନ ବାବୁ ବିଜୟ ଲାଭ କରିଛନ୍ତି।

ଓଡ଼ିଶାରେ ବିଜେଡିର ୨୪ ବର୍ଷର ଶାସନକୁ ମାତ୍ କରି ଦେଇଛି ବିଜେପି। ବିଜେଡି ଏହି ଜନାଦେଶକୁ ସ୍ୱୀକାର କରିଛି।

ଗତ ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଆସନରୁ ଲଗାତାର ଭାବେ ଜିତି ଆସିଛନ୍ତି। ୨୦୨୪ରେ ସେ ଷଷ୍ଠଥର ପାଇଁ ହିଞ୍ଜିଳିରୁ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ଶିଶିର କୁମାର ମିଶ୍ରଙ୍କଠାରୁ ମାତ୍ର ୪ହଜାର ୬୩୬ ଭୋଟ୍ ବ୍ୟବଧାନରେ ଜିତିଛନ୍ତି।

ହିଞ୍ଜିଳିରେ ନବୀନ ବାବୁଙ୍କୁ ୪୬.୮୫ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୪୩.୫୯ ପ୍ରତିଶତ।

୨୦୧୯ରେ ପ୍ରଥମ ଥର ପାଇଁ ନବୀନ ହିଞ୍ଜିଳି ସହିତ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ। ପରେ ସେ ବିଜେପୁର ଆସନ ଛାଡ଼ି ଦେଇଥିଲେ।

ଚଳିତ ନିର୍ବାଚନରେ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଆସନରେ ନବୀନ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ଙ୍କଠାରୁ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। କଣ୍ଟାବାଞ୍ଜି ଆସନ ବିଜେଡି ଗଳାରେ କଣ୍ଟା ହେବ ବୋଲି ଦଳ କେବେ ଚିନ୍ତା କରିନଥିଲା। ସେଠାରେ ବିଜେପି ପ୍ରାର୍ଥୀ ୪୪.୫୮ ପ୍ରତିଶତ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ୩୬.୫୫ ପ୍ରତିଶତ ଭୋଟ୍ ଭାଗ ମିଳିଛି।

ସେହିପରି ସନ୍ତୋଷ ସିଂ ସାଲୁଜା ୧୩.୧୬ ପ୍ରତିଶତ ଭୋଟ୍ ପାଇଛନ୍ତି।

କଣ୍ଟାବାଞ୍ଜି ଆସନରୁ କଂଗ୍ରେସ ନିକଟରେ ଚାରି ଚାରି ଥର ଜିତିଥିବା ସନ୍ତୋଷ ସିଂ ସାଲୁଜା ତୃତୀୟ ସ୍ଥାନକୁ ଚାଲି ଯାଇଛନ୍ତି।

Tags: #Politics #OdishaPolitics #OdishaElections2024 #NaveenPatnaik #Elections2024 #OdishaAssembly2024

Comment