ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାର ରାଜନୈତିକ ଇତିହାସରେ ଏକ ବିରାଟ ପରିବର୍ତ୍ତନର ସମୟ। ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଶେଷ। ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ବହୁମତ ପାଇ ରାଜ୍ୟରେ ନୂତନ ସରକାର ଗଢ଼ିବାକୁ ଯାଉଛି। ଏହି ଅବସରରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଦେଇଥିବା ପ୍ରତିଟି କଥା ପୂରଣ କରାଯିବ।

 ଆଜି ସନ୍ଧ୍ୟାରେ ବିଜେପିର ଏହି ବିପୁଳ ବିଜୟ ଉତ୍ତରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଧର୍ମେନ୍ଦ୍ର ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ଏହି ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳ ପକ୍ଷରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।

‘‘ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାହେଲା। ବର୍ତ୍ତମାନସୁଦ୍ଧା ୧୯ଟି ଲୋକସଭା ଆସନରେ ବିଜେପି ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ସେହିପରି ଆଉ ଗୋଟିଏ ଆସନରେ ଦଳର ସମ୍ଭାବନା ମଧ୍ୟ ରହିଛି। ଏହି ବିପୁଳ ଜନାଦେଶ ପାଇଁ ଆମେ ଓଡ଼ିଶାର ସାଢ଼େ ୪ କୋଟି ଜନତା ବିଶେଷକରି ଭୋଟର ଭାଇ ଉଉଣୀମାନଙ୍କ ମଧ୍ୟରେ କୃତଜ୍ଞ,’’ କହିଛନ୍ତି ଧର୍ମେନ୍ଦ୍ର।

ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି, ରାଷ୍ଟ୍ରୀୟ ନେତୃବୃନ୍ଦ ଏବଂ ରାଜ୍ୟ ସଭାପତି, ସମସ୍ତେ ବିଜେପିକୁ ଥରେ ସୁଯୋଗ ଦେବା ଲାଗି ଓଡ଼ିଶାର ଭୋଟରମାନଙ୍କୁ ନିବେଦନ କରିଥିଲେ। ଅନେକ ଦିନ ଧରି ଓଡ଼ିଶାରେ କଂଗ୍ରେସ ଶାସନ ଚାଲିଥିଲା। ଗତ ୨୪ ବର୍ଷ ଧରି ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କରି ଆସୁଥିଲା।

ତେଣୁ ଓଡ଼ିଶାକୁ ବିକଶିତ ଭାରତର ଏକ ଅଂଶ ଭାବେ ଆଗେଇ ନେବାକୁ ଭାରତୀୟ ଜନତା ପାର୍ଟିକୁ ସୁଯୋଗ ଦେବା ଲାଗି ଦଳ ଯେଉଁ ନିବେଦନ କରିଥିଲା ତାକୁ ଓଡ଼ିଶାର ଭୋଟରମାନେ ଆଶୀର୍ବାଦ କରିଛନ୍ତି। ୨୪ ବର୍ଷ ପରେ ରାଜ୍ୟରେ ବିଜେପିର ପ୍ରଥମ ସରକାର ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ସେ ଅନୁଯାୟୀ ଆଗାମୀ ୧୦ ତାରିଖରେ ବିଜେପି ସରକାର ଶପଥ ନେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ।

ଧର୍ମେନ୍ଦ୍ର ଆହୁରି କହିଥିଲେ ଯେ ଏହା ହେଉଛି ଓଡ଼ିଆ ଅସ୍ମିତାର ବିଜୟ। ଓଡ଼ିଆ ଭାଷା, ସଂସ୍କୃତି ଏବଂ ପରିଚୟର ବିଜୟ। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ କେବଳ ରାଜନୈତିକ ବିଷୟ ନୁହେଁ। ଓଡ଼ିଶାବାସୀ ଆଜି ଏହି ଅସ୍ମିତାକୁ ନେଇ ବିଜେପିକୁ ଆଶୀର୍ବାଦ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଦେଇଥିବା ବଚନ କାର୍ଯ୍ୟକାରୀ କରାଯିବ। ମୋଦିଙ୍କ ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି ଧର୍ମେନ୍ଦ୍ର ଏକ ନମ୍ରତାର ସ୍ୱରରେ ଦୃଢ଼ତାର ସହ କହିଛନ୍ତି।

Tags: #Politics #OdishaPolitics #OdishaElections2024 #GeneralElection2024 #Elections2024 #IndiaVotes #OdishaAssembly2024

Comment