ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାରେ ଲୋକସଭା ଆସନର ଫଳାଫଳ ବିଜେପି ଆଡ଼କୁ ଢଳିବା ଭଳି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ଭୋଟ ଗଣତି ଫଳାଫଳ ଅନୁଯାୟୀ ବିଭିନ୍ନ ଆସନରେ ଆସିଥିବା ବିଜେପି ପ୍ରାର୍ଥୀମାନେ ୧୦,୦୦୦ରୁ ଅଧିକ ଭୋଟରେ ଆଗୁଆ ରହିଥିବା ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳୁଥିବା ତଥ୍ୟ କହୁଛି। ସକାଳ ୧୧ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଆସନ୍ତୁ ନଜର ପକାଇବା ଦିନ ୧୧ଟା ସୁଦ୍ଧା କାହାକୁ କେତେ ଭୋଟ୍‌ ମିଳିଛି।

ସୁନ୍ଦରଗଡ଼ରେ ଜୁଏଲ୍ ଆଗରେ, ଦିଲ୍ଲୀପ ପଛରେ

ବିଜେପିର ଟାଣୁଆ ଆଦିବାସୀ ନେତା ଜୁଏଲ୍ ଓରାମ୍ ସୁନ୍ଦରଗଡ଼ ଆସନରେ ଆଗୁଆ ଅଛନ୍ତି। ସକାଳ ୧୦:୫୦ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ତାଙ୍କୁ ୯୧ହଜାର ୪୬୬ଟି ଭୋଟ୍ ମିଳିଛି। ତାଙ୍କ ବିପକ୍ଷରେ ଥିବା ବିଜେଡ଼ି ପ୍ରାର୍ଥୀ ହକି ତାରକା ଦିଲ୍ଲୀପ ତିର୍କୀ ୬୬,୨୫୦ ଭୋଟ୍ ପାଇଛନ୍ତି। ଅର୍ଥାତ୍ ଜୁଏଲ୍‌ଙ୍କଠାରୁ ଦିଲ୍ଲୀପ ୨୫ହଜାରରୁ ଅଧିକ ଭୋଟ୍‌ରେ ପଛରେ ଅଛନ୍ତି।

ବଲାଙ୍ଗୀରରେ ସଙ୍ଗୀତା ଆଗରେ

ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ବଲାଙ୍ଗୀର ଆସନରେ ପୁଣି ବିଜେପି ବାଜିମାତ୍ କରିପାରେ। ଦଳୀୟ ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ସଙ୍ଗୀତା ସିଂହଦେଓ ୬୮,୫୮୦ ଭୋଟ୍ ପାଇଛନ୍ତି।

ବିଜେଡ଼ି ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ୪୬,୬୮୫ ଭୋଟ୍ ପାଇଛନ୍ତି। ସେ ବିଜେପିର ସଙ୍ଗୀତାଙ୍କଠାରୁ ୨୧ହଜାରରୁ ଅଧିକ ଭୋଟ୍‌ରେ ପଛରେ ଅଛନ୍ତି।

ସେହିପରି କଂଗ୍ରେସର ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କୁ ୧୫,୧୬୬ ଭୋଟ୍‌ ମିଳିଛି।

ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ ଆଗରେ

ସେହିପରି ବ୍ରହ୍ମପୁର ଆସନରେ ମଧ୍ୟ ବିଜେପି ଆଗରେ ଚାଲିଛି। ବିଜେପି ପ୍ରାର୍ଥୀ  ପ୍ରଦୀପ ପାଣିଗ୍ରାହୀ ୪୭,୩୯୨ ଭୋଟ୍‌ ପାଇଛନ୍ତି। ସେ ବିଜେଡ଼ିର ଭୃଗୁ ବକ୍ସିପାତ୍ରଙ୍କଠାରୁ ୧୩ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।

ବିଜେଡ଼ି ପ୍ରାର୍ଥୀ ଭୃଗୁଙ୍କୁ ୩୪,୩୦୪ ଭୋଟ୍ ମିଳିଛି। ସେହିପରି କଂଗ୍ରେସର ରଶ୍ମିରଞ୍ଜନ ପଟ୍ଟନାୟକ ୧୩,୮୦୩ ଭୋଟ୍ ପାଇଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ଭୋଟ୍ ଗଣତି ବେଳେ ଆଗୁଆ ପଛୁଆ ଖବର ସ୍ୱାଭାବିକ। ତେବେ ଲୋକସଭା ନିର୍ବାଚନ ଫଳାଫଳ ଦେଖିଲେ ମନେହେଉଛି ଅଧିକ ଆସନରେ ବିଜେପି ପ୍ରାର୍ଥୀମାନେ ୧୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଆଗରେ ରହିଛନ୍ତି।

ଭୁବନେଶ୍ୱର ଆସନରେ କଡ଼ା ଟକ୍କର

ଭୁବନେଶ୍ୱର ଲୋକସଭା ଆସନରେ କିନ୍ତୁ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ୬ ହଜାର ୯୭ ଭୋଟ୍‌ରେ ଆଗୁଆ ରହିଛନ୍ତି।

ଦିନ ୧୧ଟା ସୁଦ୍ଧା ମିଳିଥିବା ଚିତ୍ର ଅନୁଯାୟୀ ଅପରାଜିତା ୭୭ହଜାର ୪୨୯ ଭୋଟ୍‌ ପାଇଛନ୍ତି। ସେହିପରି ବିଜେଡ଼ିର ମନ୍ମଥ କୁମାର ରାଉତରାୟଙ୍କୁ ୭୧ହଜାର ୩୩୨ ଭୋଟ୍ ମିଳିଛି।

କଂଗ୍ରେସ ପ୍ରାର୍ଥୀ ତଥା ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କୁ ୯୫ ହଜାର ୮୫ ଭୋଟ୍ ମିଳିଛି।

Tags: #OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here