ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ନିର୍ବାଚନୀ ଫଳାଫଳକୁ ନେଇ ଜାତୀୟ ରାଜନୀତି ଆଜି ଉଠୁଛି ପଡୁଛି। ଏଥର ବିଜେପିର ଲକ୍ଷ୍ୟ ଥିଲା ‘୪୦୦ ପାର୍‌’। କିନ୍ତୁ ଅଲଗା ଫଳ ଦେଇଛି ଜନାଦେଶ। ଏନଡିଏ ମେଣ୍ଟ ୩୦୦ ଆସନ ଭିତରେ ସୀମିତ ଥିବାବେଳେ ଇଣ୍ଡି ଆଲାଏନ୍ସ ସହ କଂଗ୍ରେସ ଦଳ ଗତ ବର୍ଷ ତୁଳନାରେ ଅଧିକ ଆସନ ପାଇଛି। ବିଶେଷକରି ଉତ୍ତରପ୍ରଦେଶରେ ବିଜେପିର ଫଳ ଏବଂ ଇଣ୍ଡି ଆଲାଏନ୍ସର ସଫଳତା ସମସ୍ତ ରାଜନୀତି ଗଣିତକୁ ଭୁଲ୍ ପ୍ରମାଣିତ କରିଛି।

ମଙ୍ଗଳବାର ଭୋଟ୍ ଗଣତି ଚାଲିଥିବା ବେଳେ ସନ୍ଧ୍ୟାରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ୟୁପି ଲୋକସଭା ନିର୍ବାଚନର ଫଳାଫଳ ପାଇଁ ସେ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, “ସମ୍ବିଧାନର ସୁରକ୍ଷା ହିଁ ଥିଲା ଆମ ଲଢ଼େଇର ଲକ୍ଷ୍ୟ। ଦେଶର ଜନସାଧାରଣ ନିଜ ସମ୍ବିଧାନକୁ ରକ୍ଷା କରିବା ପାଇଁ ଏକାଠି ହୋଇ ଲଢ଼ିବେ ବୋଲି ଆଶା ଥିଲା। ଉତ୍ତରପ୍ରଦେଶର ଜନସାଧାରଣ ସେହି ଚମତ୍କାର କରି ଦେଖାଇଦେଲେ। ଇଣ୍ଡି ଆଲାଏନ୍ସକୁ ସମର୍ଥନ ଦେଇ ସେମାନେ ଗଣତନ୍ତ୍ରର ରକ୍ଷା କରିଛନ୍ତି।”

ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ୍ କରି ସେ କହିଛନ୍ତି, “ଆମର ଲଢ଼େଇ କେବଳ ବିଜେପି ବିରୋଧରେ ନଥିଲା, ବରଂ ଦେଶର ଭ୍ରଷ୍ଟ ଶାସନ ବ୍ୟବସ୍ଥାରେ ଥିଲା। ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଦେଶର ସିବିଆଇ ଓ ଇଡି ପରି ଗୁଇନ୍ଦା ସଂସ୍ଥା ଏବଂ ନ୍ୟାୟିକ ଅନୁଷ୍ଠାନଗୁଡ଼ିକୁ ନିଜ ଅକ୍ତିଆରରେ ତାହାର ଅସଦ୍ ବ୍ୟବହାର କରିଛନ୍ତି। ସେସବୁର ସୁରକ୍ଷା ପାଇଁ ଆମେ ଏଥର ଲଢୁଥିଲୁ।”

ଚଳିତ ନିର୍ବାଚନ ଫଳାଫଳ ଅନୁସାରେ ଉତ୍ତରପ୍ରଦେଶରେ ୪୦ଟି ଆସନ, ମହାରାଷ୍ଟ୍ରରେ ୨୮ଟି ଆସନ, ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଛି ଇଣ୍ଡି ଆଲାଏନ୍ସ।

Tags: #Politics #IndiaPolitics #GeneralElection2024 #RahulGandhi #BJP #Congress

LEAVE A REPLY

Please enter your comment!
Please enter your name here