ଓଡ଼ିଶାଲାଇଭ୍ ବ୍ୟୁରୋ

“ଓଡ଼ିଶାରେ ବନ୍ଦ ହେବ ବିଏସକେଓ୍ଵାଇ ଯୋଜନା। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଏସକେଓ୍ଵାଇ ଯୋଜନାରେ ଲୋକଙ୍କୁ କମ୍ ସୁବିଧା ମିଳୁଥିଲା, ଏଣିକି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ ରାଜ୍ୟବାସୀଙ୍କୁ ଅଧିକ ସ୍ଵାସ୍ଥ୍ୟ ସେବା ମିଳିବ। ଏହି ଯୋଜନାରେ ୫ ଲକ୍ଷ ଟଙ୍କା ଯାଏଁ ବହନ କରାଯିବ”, ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମିଲ।

ମନମୋହନ ସାମଲଙ୍କର ଏହି ବୟାନ ପରେ ବିଏସକେଓ୍ଵାଇ ଯୋଜନା ହିତାଧିକାରୀଙ୍କ ଚିନ୍ତା ବଢ଼ିଛି। ବୁଧବାର ଦିନ ବିଭିନ୍ନ ଘରୋଇ ହସ୍ପିଟାଲ ଏବଂ କ୍ଲିନିକ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ସେମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଛି। ସରକାର ବଦଳିବା ପରେ ଓଡ଼ିଶାରେ ବିଏସକେଓ୍ଵାଇ କାର୍ଡକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଛି।

ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମିଲ। ଏକ ପ୍ରେସ ବିବୃତ୍ତି ଜାରି କରି ମନମୋହନ ସାମଲ କହିଛନ୍ତି, “ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ଅନେକ ଅଭିଯୋଗ ଆସିବାକୁ ଲାଗିଛି। ରାଜ୍ୟର କିଛି ଘରୋଇ ହସ୍ପିଟାଲ ବିଏସକେଓ୍ଵାଇ ଯୋଜନା ବନ୍ଦ ହୋଇଗଲା କହି ଚିକିତ୍ସା ନକରି ରୋଗୀଙ୍କୁ ଫେରାଇ ଦେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ସେ କହିଛନ୍ତି ଯେ, ସାଧାରଣ ନାଗରିକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ଲୋକଙ୍କ ମନରେ ଦ୍ଵନ୍ଦ୍ଵ ସୃଷ୍ଟି କରି ଚିକିତ୍ସାରୁ ବଞ୍ଚିତ କରିବା ଏକ ସାମାଜିକ ଓ ବୈଧାନିକ ଅପରାଧ ବୋଲି ମନମୋହନ ସାମଲ କହିଛନ୍ତି।

ଏଭିଳି ସାମାଜିକ ଅପରାଧରୁ ଦୂରେଇ ରହିବା ସହ ରୋଗୀଙ୍କୁ ଉପଯୁକ୍ତ ସ୍ଵାସ୍ଥ୍ୟସେବା ଯୋଗାଇଦେବାକୁ ମନମୋନହ ସାମଲ କହିଛନ୍ତି।

Tags: #Politics #OdishaPolitics #BSKY #Odisha #AyushmanBharatYojana #ManmohanSamal

LEAVE A REPLY

Please enter your comment!
Please enter your name here