ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚାନ୍ଦବାଲି ଆସନରେ ଭୋଟ ଗଣତି ବେଳେ ଚାଲିଥିଲା ସାପ ସିଡ଼ି ଖେଳ। କେତେବେଳେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ତ ଆଉ କେତେବେଳେ ବିଜେଡିର ଯୁବ ସଭାପତି ବ୍ୟୋମକେଶ ରାୟ ଉପରକୁ ଚଢୁଥିଲେ ପୁଣି ତଳକୁ ଖସୁଥିଲେ।

ଶେଷରେ ମନମୋହନଙ୍କୁ ହରାଇଦେଲେ ବ୍ୟୋମକେଶ। ମାତ୍ର ୧୯୧୬ ଭୋଟ ବ୍ୟବଧାନରେ ବାଜି ମାରିନେଲେ ବ୍ୟୋମକେଶ।

୨୦୨୪ ନିର୍ବାଚନ ଘୋଷଣା ହେବାର କିଛିଦିନ ପୂର୍ବରୁ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଜେପି କେନ୍ଦ୍ରୀୟ ନେତାମାନେ ଏ ବାବଦରେ ଥା ଥା ମା ମା ହେଉଥିବା ବେଳେ ରାଜ୍ୟ ନେତୃତ୍ୱ ମେଣ୍ଟ ସପକ୍ଷରେ ନଥିଲେ। କାରଣ, ବିଜେଡି ବିରୋଧରେ ଲଢ଼େଇ ଲାଗି ଏହା ଏକ ଉପଯୁକ୍ତ ସୁଯୋଗ ବୋଲି ମନମୋହନ ଦାବି କରୁଥିଲେ।

କିନ୍ତୁ ରାଜନୀତିରେ ସବୁକିଛି ସମ୍ଭବ। ଓଡ଼ିଶାରେ ଏଥର ବିଜେପି ବହୁମତ ପାଇଲା, କିନ୍ତୁ ହାରିଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ଚାନ୍ଦବାଲିରେ ଏଥର ତ୍ରିମୁଖୀ ଲଢ଼େଇ ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ୮୩ ହଜାର ୬୩ ଭୋଟ ପାଇଥିବା ବେଳେ ବିଜେପିର ମନମୋହନ ସାମଲ ୮୧ ହଜାର ୧୪୭ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ର ୨୮ ହଜାର ୪୮୩ ଭୋଟ ପାଇ ଏହି ହାର୍ ଜିତରେ ନିର୍ଣ୍ଣାୟ ଭୂମିକା ନେଇଛନ୍ତି।

Tags: #Politics #OdishaPolitics #OdishaElections2024 #GeneralElection2024 #ManmohanSamal #Elections2024 #OdishaAssembly2024

Comment