ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚଳିତ ଲୋକସଭା ନିର୍ବାଚନରେ ତାମିଲନାଡୁରେ ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଇଣ୍ଡି ମେଣ୍ଟ କ୍ଲିନ ସ୍ଵିପ୍ କରିଥିବାବେଳେ ବିଜେପି ସମେତ ଏନଡିଏ ଅନ୍ୟ ଦଳମାନେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ଏଥର ତାମିଲନାଡୁରେ ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ ଧୂଆଁଧାର ପ୍ରଚାର କରି ଲୋକଲୋଚନକୁ ଆସିଥିଲେ ମଧ୍ୟ ସେ କୋଇମ୍ବାଟୁର ଆସନରୁ ପରାସ୍ତ ହୋଇଛନ୍ତି। ଏହି ପୂର୍ବ ପ୍ରଶାସନିକ ଅଧିକାରୀ ରାଜନୀତିରେ ଫେଲ୍ ମରିବା ନେଇ ଚର୍ଚ୍ଚା ଜୋର ଧରିଛି।
ଲୋକସଭା ନିର୍ବାଚନ ପାଇଁ କେ ଆନ୍ନାମଲାଇ ବିଜେପି ତଥା ଏନଡିଏ ପାଇଁ ତାମିଲନାଡୁରେ ମଙ୍ଗ ଧରିଥିଲେ। ଗତବର୍ଷ ସେ ରାଜ୍ୟର ସମସ୍ତ ୨୩୯ଟି ବିଧାନସଭା କ୍ଷେତ୍ରରେ ପଦଯାତ୍ରା କରିଥିଲେ। ତାଙ୍କୁ ଦକ୍ଷିଣ ଭାରତରେ ବିଜେପି ପୋଷ୍ଟର ବୟ ମଧ୍ୟ କୁହାଯାଉଥିଲା। ହେଲେ ସେ ନିଜେ ମଧ୍ୟ ନିର୍ବାଚନ ଜିତି ପାରିନାହାନ୍ତି।
ଏଥର ୩୯ ଆସନ ବିଶିଷ୍ଟ ତାମିଲନାଡୁରେ ଇଣ୍ଡି ମେଣ୍ଟ ସବୁ ସିଟ ଜିତିଛି। ଏଠାରେ ଡିଏମକେ ୨୨ଟି, କଂଗ୍ରେସ ୯ଟି ଆସନ ହାତେଇଛି। ସେହିପରି ମେଣ୍ଟରେ ଥିବା ସିପିଆଇ, ସିପିଆଇଏମ ଓ ଭିସିକେ ୨ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବାବେଳେ ଏମଡିଏମକେ ଗୋଟିଏ ଆସନ ଜିତିଛି।
ତେବେ କେ ଆନ୍ନାମଲାଇଙ୍କ ରାଜନୈତିକ ଭବିଷ୍ୟତ ଉଜ୍ଜ୍ଵଳ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥିଲେ। ହେଲେ ତାମିଲନାଡୁରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେ ଆନ୍ନାମଲାଇ ତାମିଲନାଡୁରେ ବିଜେପିର ନେତୃତ୍ୱ ନେଇଥିବାବେଳେ ଓଡ଼ିଶାରେ ତାଙ୍କ ଭଳି ଆଉ ଜଣେ ପୂର୍ବ ପ୍ରଶାସନିକ ଅଧିକାରୀ କାର୍ତ୍ତିକ ପାଣ୍ଡିଆନ ବିଜେଡିର ମଙ୍ଗ ଧରିଥିଲେ। ହେଲେ ଏଥର ବିଧାନସଭା ନିର୍ବାଚନରେ ବିଜେଡି ପରାସ୍ତ ହୋଇଛି। ତେବେ ରାଜନୀତିର ମଇଦାନରେ ଏହି ଦୁଇ ଜଣ ପୂର୍ବ ପ୍ରଶାସନିକ ଅଧିକାରୀ ଫେଲ୍ ମରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
Tags: #KAnnamalai #TamilNadu #BJP #KartikPandian #ExCivilServant #Politics #India