ଓଡ଼ିଶାଲାଇଭ୍ ବ୍ୟୁରୋ
- “କଂଗ୍ରେସର ୧୪ ବିଧାୟକ, ୧୪୦ଙ୍କ ସହ ସମାନ”
- ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଜଙ୍ଗଲ ଜମିର ସୁରକ୍ଷା ପାଇଁ ଲଢ଼ିବ କଂଗ୍ରେସ – ଅଜୟ କୁମାର
- ଦଳ ବିରୋଧୀ କର୍ମକର୍ତ୍ତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
(ଭୁବନେଶ୍ୱର): “ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ଓଡ଼ିଶାର ଜନସାଧାରଣଙ୍କ ବିଶ୍ୱାସ ଓ ଭଲପାଇବା କଂଗ୍ରେସ ପ୍ରତି ବୃଦ୍ଧି ପାଇଛି। ତେବେ ଏହି ନିର୍ବାଚନର ଫଳାଫଳ ଓଡ଼ିଶାବାସୀଙ୍କ ପାଇଁ ଏକ ସତର୍କ ଘଣ୍ଟି। ଏବେ ରାଜ୍ୟବାସୀ ସତର୍କ ରହିବା ଆବଶ୍ୟକ। କାରଣ ଓଡ଼ିଶାକୁ ବିଜେପି ସରକାର ଆସୁଛି”, ଏମିତି କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର।
ଗୁରୁବାର ଦିନ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, କଂଗ୍ରେସର ୧୪ ବିଧାୟକ ୧୪୦ଙ୍କସହ ସମାନ। ସେମାନେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଏବଂ ଜଙ୍ଗଲ ଜମିର ସୁରକ୍ଷା ପାଇଁ କାମ କରିବେ। କଂଗ୍ରେସ କେବେ ରାଜ୍ୟବାସୀଙ୍କ ପାଇଁ ହାତ ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର ଶାସନ କରିବ। ଏବେଠାରୁ ଓଡ଼ିଶାକୁ ସୁଟ୍ ବୁଟ୍ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି। ସେମାନେ ଆଗାମୀ ଓଡ଼ିଶାକୁ ସମ୍ପୂର୍ଣ୍ଣ ଲୁଟି ନେବେ।
ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ନେତାମାନଙ୍କୁ ଦଳ ଉପଯୁକ୍ତ ସମ୍ମାନ ଦେବ ଏବଂ ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ଅଜୟ କୁମାର ଚେତାବନୀ ଦେଇଛନ୍ତି। ଏହା ସହ ସେ ଦଳର ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
Tags: #Politics #OdishaPolitics #Congress #BJP #DrAjayKumar #OdishaElection2024