ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଗଣମାଧ୍ୟମ ଓ ସିନେମା ଜଗତର ବିଶିଷ୍ଟ ବ୍ୟକ୍ତି ତଥା ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କର ପରଲୋକ ଘଟିଛି। ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।
ରାମୋଜୀ ରାଓ ଅନେକ ଦିନରୁ ଅସୁସ୍ଥ ଥିଲେ। ଜୁନ୍ ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ପରେ ଶନିବାର ସକାଳେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।
ରାମୋଜୀ ରାଓଙ୍କ ବିୟୋଗରେ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଅନେକ ଲୋକେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶନିବାର ଅପରାହ୍ଣରେ ହାଇଦ୍ରାବାଦର ଜୁବିଲି ହିଲ୍ସ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।
୧୯୩୬ ମସିହା ନଭେମ୍ବର ୧୬ ତାରିଖରେ ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲାର ପେଦପାରୁପୁଡି ଗାଁରେ ରାମୋଜୀ ରାଓ ଜନ୍ମ ଗ୍ରହଣ କରିଥିଲେ। ସେ ନିଜ ଜୀବନକାଳରେ ଭାରତୀୟ ଗଣମାଧ୍ୟମ ଓ ସିନେମା ଜଗତରେ ବେଶ୍ ଲୋକପ୍ରିୟ ହୋଇଥିଲେ। ସେ ରାମୋଜୀ ଗ୍ରୁପ୍ର ପ୍ରତିଷ୍ଠତା ଥିଲେ। ଏହାସହ ତେଲୁଗୁ ସମ୍ବାଦପତ୍ର ‘ଏନାଡୁ’ର ନେତୃତ୍ୱ ମଧ୍ୟ ନେଇଥିଲେ।
ସେ ଦେଶର ସର୍ବବୃହତ ମିଡିଆ ନେଟୱାର୍କ ‘ଇଟିଭି’ ଓ ସର୍ବବୃହତ ଫିଲ୍ମ ସିଟି ‘ରାମୋଜୀ ଫିଲ୍ମ ସିଟି’ର ପ୍ରତିଷ୍ଠା କରିଥିଲେ। ଏହାସହ ସେ ନିଜ ଚଳଚ୍ଚିତ୍ର କମ୍ପାନି ଉଷାକିରନ ମୁଭିଜ୍ ଅଧୀନରେ ୫୦ରୁ ଅଧିକ ଫିଲ୍ମର ନିର୍ମାଣ କରିଥିଲେ।
ଓଡ଼ିଆ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ରାମୋଜୀ ରାଓଙ୍କ ବିଶେଷ ଅବଦାନ ରହିଥିଲା। ସେ ୨୦୦୨ ମସିହାରେ ଓଡ଼ିଶାର ପ୍ରଥମ ଘରୋଇ ସ୍ୟାଟେଲାଇଟ୍ ଟିଭି ଚ୍ୟାନେଲ ‘ଇଟିଭି ଓଡ଼ିଆ’ ଲଞ୍ଚ କରିଥିଲେ। ଏହାଦ୍ଵାରା ରାଜ୍ୟରେ ଗଣମାଧ୍ୟମ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହୋଇଥିଲା।
୨୦୧୬ ମସିହାରେ ରାମୋଜୀ ରାଓଙ୍କୁ ସାମ୍ବାଦିକତା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନୀତ କରାଯାଇଥିଲା।
ଏହି ମହାନ ଆତ୍ମାଙ୍କୁ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି।
Tags: #RamojiRao #MediaTycoon #RamojiGroup #ETVNetwork #India