ଓଡ଼ିଶାଲାଇଭ୍ ବ୍ୟୁରୋ

ଅଳ୍ପ ହେଉ ପଛେ ଜିତିଛନ୍ତି। ନ ହେଲେ ପୁଣି ଭାଗ୍ୟ ପରୀକ୍ଷା କରିବା ପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା। ଯେଉଁମାନେ ଜିତିଲେ ଆଜି ଶାନ୍ତିରେ ନିଶ୍ଵାସ ମାରୁଥିବେ। କିନ୍ତୁ ଖୁବ୍ କମ ଭୋଟ ବ୍ୟବଧାନରେ ହାରିଯାଇଥିବା ନେତାଙ୍କ ଆଖିରୁ ନିଦ ହଜିଛି। କେଉଁଠି ଭୁଲ୍ ରହିଲା ତା’ର କାରଣ ଖୋଜା ଚାଲିଛି।

ମନେ ରହିବ ୩୭

ମାତ୍ର ୩୭ ଖଣ୍ଡ ଭୋଟ୍। ଏତିକି ଭୋଟରେ ହାରିବାକୁ ଦୁର୍ଭାଗ୍ୟ ବୋଲି କୁହାଯିବ। ଆଉ ଜିତିବା ପ୍ରାର୍ଥୀ ବଡ଼ କପାଳିଆ ବୋଲି ନିଶ୍ଚିତ ଧରାଯିବ। ଭୁବନେଶ୍ଵର ମଧ୍ୟ ଆସନରୁ ଲଢୁଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା। ଜଗନ୍ନାଥ ଲଗାତର ହାରି ଆସୁଥିବା ବେଳେ ଏଥର ଜିତିବେ ବୋଲି ବହୁତ ଆଶା କରିଥିଲେ। ମୋଦୀଙ୍କ ଗସ୍ତ ସମୟରେ ଜନତାଙ୍କ ଭିଡ଼ ତାଙ୍କୁ ବହୁତ ଉତ୍ସାହିତ କରିଥିଲା। କିନ୍ତୁ ଶେଷ ପର୍ଯ୍ୟାୟ ଯାଏଁ ଲଢ଼େଇ କରି ଅନନ୍ତ ୩୭ ଖଣ୍ଡ ଭୋଟରେ ବାଜି ମାରିନେଇଥିଲେ। ଭୋଟ ଗଣତି ସମୟର ଚାପରୁ ଏଯାଏଁ ସେ ମୁକୁଳି ନଥିବେ ନିଶ୍ଚୟ। ଜଗନ୍ନାଥ ବି ନିଜ ଭାଗ୍ୟକୁ ଦୋଷ ଦେଉଥିବେ।

ବଞ୍ଚିଗଲେ ଅଶ୍ଵିନୀ

ଜଳେଶ୍ଵର ବିଧାୟକ ଭାବେ ପୁଣି ନିର୍ବାଚିତ ହୋଇଛନ୍ତି ଅଶ୍ଵିନୀ ପାତ୍ର। ନବୀନ ସରକାରରେ ମନ୍ତ୍ରୀ ଥାଇ ସେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଭୋଟ୍ ଗଣତି ଦିନ ସେ ଛାତିରେ ହାତ ରଖି ଜଗି ରହିଥିଲେ। ଏପଟେ ବିଜେଡି ଭଲ କରୁ ନଥିବା ଖବର ତାଙ୍କୁ ବିଚଳିତ କରୁଥିବା ବେଳେ ନିଜର ଭବିଷ୍ୟତ ନେଇ ମଧ୍ୟ ସନ୍ଦିହାନ ଥିଲେ। ଜୋରଦାର ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ  ବ୍ରଜମୋହନ ପ୍ରଧାନ।

ଏମିତି ବି ଜଳେଶ୍ଵର ବିଧାୟକ ବହୁତ ସଚେତନ। ଅନେକ ଥର ଶାସକ ଦଳ ବିରୋଧରେ ଭୋଟ୍ ଦେଇଛନ୍ତି। ଏଥର ସେମିତି କିଛି ହେବାର ଆଶଙ୍କାରେ ଥିଲେ ଅଶ୍ଵିନୀ। ଭୋଟ୍ ଗଣତି ସରି ସରି ଆସୁଥିଲା, ହାରଜିତର ଦୋଛକିରେ ଠିଆ ହୋଇଥିଲେ ଅଶ୍ଵିନୀ ପାତ୍ର। ଶେଷରେ ସେ ୩୧୯ ଖଣ୍ଡ ଭୋଟରେ  ଜିତିଥିଲେ। ଦଳ ହାରିଥିଲେ ମଧ୍ୟ ଜିତିଛନ୍ତି ଅଶ୍ଵିନୀ।

ହାରୁ ହାରୁ ଜିତିଲେ ଅରୁଣ ସାହୁ

ଅରୁଣ ସାହୁ ପୁଣି ଥରେ ନୟାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବ ସବୁ ଲଢ଼େଇ ତୁଳନାରେ ଚଳିତ ଥର ଅରୁଣଙ୍କ ପାଇଁ ବଡ଼ କଷ୍ଟକର ଥିଲା। ନିର୍ବାଚିତ ହୋଇ ସେ ଯେତିକି ଆଶ୍ଵସ୍ତ ହୋଇ ନଥିବେ ଭୋଟ ଗଣତି ବେଳେ ତା’ଠାରୁ ଅଧିକ ଆତଙ୍କିତ ଅବସ୍ଥାରେ ରହିଥିବେ। ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ଵରୀ କେତେବେଳେ ଆଗରେ ତ କେତେବେଳେ ଆଗରେ ରହୁଥିଲେ ଅରୁଣ।

ସାପଶିଡ଼ିର ଏହି ଖେଳ ଭିତରେ ମାତ୍ର ୪୩୯ ଖଣ୍ଡ ଭୋଟରେ ପ୍ରତ୍ୟୁଷା ରାଜେଶ୍ଵରୀଙ୍କଠାରୁ ଜିତିଛନ୍ତି ଅରୁଣ ସାହୁ। ଯଦି ଆଉ ଗୋଟିଏ ଦୁଇଟି ବୁଥ୍ ପ୍ରତ୍ୟୁଷାଙ୍କ ସପକ୍ଷରେ ଯାଇଥାନ୍ତା, ତେବେ ଭାଗ୍ୟ ପରୀକ୍ଷା କରିବା ପାଇଁ ଅରୁଣଙ୍କୁ ପୁଣି ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା।

ସୋରରେ ଫୁଟିଲାନି ପଦ୍ମ

ସୋର ନିର୍ବାଚନମଣ୍ଡଳୀକୁ ନେଇ ବହୁତ ଆଶାବାଦୀ ଥିଲା ବିଜେପି। ରାଜେନ୍ଦ୍ର ଦାସଙ୍କୁ ପ୍ରଥମେ ଟିକଟ ଦେଇଥିଲା ଦଳ। କିନ୍ତୁ ତାଙ୍କୁ ପ୍ରବଳ ବିରୋଧ ହେବା ଦେଖି ପ୍ରାର୍ଥୀ ବଦଳାଇ ଦେଇଥିଲା ବିଜେପି। ପରେ ପର୍ଶୁରାମ ଧଡ଼ାଙ୍କୁ ଟିକଟ ଦିଆଯାଇଥିଲା। ବିଜେପିର ଆଶା ମୁତାବକ ଶେଷ ଯାଏଁ ଲଢ଼ିଥିଲେ ପର୍ଶୁରାମ। କିନ୍ତୁ ଶେଷ କେଇ ରାଉଣ୍ଡ ଆଉ ତାଙ୍କ ସପକ୍ଷରେ ଯାଇନଥିଲା। ବିଜେଡି ପ୍ରାର୍ଥୀ ମାଧବ ଧଡ଼ାଙ୍କଠାରୁ ମାତ୍ର ୮୦୨ ଖଣ୍ଡ ଭୋଟରେ ହାରି ଯାଇଥିଲେ ପର୍ଶୁରାମ।

ଅଶୋକଙ୍କ ବାଜିମା

ଗତ ନିର୍ବାଚନରେ ବାସୁଦେବପୁର ଜିତିଥିଲା ବିଜେଡି। ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ନାତି ବିଷ୍ଣୁବ୍ରତ ରାଉତରାୟ ଏଠାରୁ ଜିତିଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ ନିଜ ପରିବାରର ପାରମ୍ପରିକ ଆସନକୁ ବଞ୍ଚାଇ ପାରିନାହାନ୍ତି।

ଲଗାତର ୧୯୯୦ରୁ ଏଠାରୁ ଜିତିଆସୁଥିଲେ ବିଜୟଶ୍ରୀ। ତାଙ୍କ ପରେ ବିଷ୍ଣୁବ୍ରତ ଜିତିଥିଲେ। ହେଲେ ଏଥର ବିଜେଡିର ବିଜୟଧାରାରେ ବ୍ରେକ୍ ଲଗାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ। ମାତ୍ର ୬୩୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଅଶୋକ।

ଭାଙ୍ଗିଗଲା ଦିପାଳୀଙ୍କ ସ୍ଵପ୍ନ

୨୦୨୪ ନିର୍ବାଚନରେ ବିଜେଡି ନିଶ୍ଚିତ ଜିତିବାକୁ ଆଶା ରଖିଥିବା ବିଧାନସଭା ଆସନ ମଧ୍ୟରୁ ଝାରସୁଗୁଡ଼ା ଗୋଟିଏ। କିନ୍ତୁ ଶେଷ ପର୍ଯ୍ୟାୟ ଗଣତି ବେଳକୁ ଯାହା ଘଟିଲା ତାହା ଦଳକୁ ଶକ୍ତ ଧକ୍କା ଦେଇଛି। ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ନିର୍ବାଚନ ଫଳାଫଳ ନିରାଶ କରିଛି।

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୧,୩୩୩ ଖଣ୍ଡ ଭୋଟରେ ଦୀପାଳିଙ୍କୁ ପରାଜିତ ହେବାକୁ ପଡ଼ିଛି। ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ବିଧାସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ଟଙ୍କଧରଙ୍କୁ ହରାଇ ବିଧାୟକ ହୋଇଥିଲେ ଦୀପାଳି ଦାସ। ଏଥର କିନ୍ତୁ ଦୀପାଳିଙ୍କୁ ହରାଇ ଟଙ୍କଧରଙ୍କର ବିଧାୟକ ହେବାର ସ୍ଵପ୍ନ ପୂରଣ ହୋଇଛି।

ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ଦୀପାଳି ହାରିବା ପଛରେ ସବୁଠାରୁ ବଡ଼ କାରଣ ଅତ୍ୟଧିକ ଆତ୍ମସନ୍ତୋଷ ଓ ପ୍ରତିଦ୍ଵନ୍ଦ୍ଵୀଙ୍କୁ ଦୁର୍ବଳ ଭାବିବା। ନିଜକୁ ଅପରାଜେୟ ଭାବିବା ଦିପାଳୀଙ୍କ ପାଇଁ କାଳ ହେଲା। ଏଥର ଦୀପାଳି ଜୋରଦାର ପ୍ରଚାର କରିଥିଲେ ମଧ୍ୟ ଭୋଟରଙ୍କ ସମର୍ଥନ ପାଇବାରେ ବିଫଳ ହୋଇଛନ୍ତି।

ସେହିପରି ଏକ ହଜାରରୁ ୩ ହଜାର ଭୋଟ୍ ବ୍ୟବଧାନରେ ଅନେକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହୋଇଛି। ବିଜେପିର ଟାଣୁଆ ନେତା ନାଉରୀ ନାୟକ ରେଙ୍ଗାଳି ଆସନରେ ସୁଦର୍ଶନ ହରିପାଲଙ୍କଠାରୁ ମାତ୍ର ୩,୨୧୨ ଖଣ୍ଡ ଭୋଟରେ ହାରିଛନ୍ତି। ଭଣ୍ଡାରିପୋଖରୀ ଆସନରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ଓ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କଠାରୁ ମାତ୍ର ୧,୫୫୧ ଭୋଟ ବ୍ୟବଧନରେ ପରାଜିତ ହୋଇଛନ୍ତି।

ହାରିଗଲେ ମନମୋହନ ସାମଲ

ବିଜେପି ସପକ୍ଷରେ ହାଓ୍ଵା ବହୁଥିବା ବେଳେ ନିଜେ ହାରିଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟରେ ବିଜେପି ଜିତିବାର ଶ୍ରେୟରେ ସେ ଭାଗିଦାରୀ, କିନ୍ତୁ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଏ ନିର୍ବାଚନ ଦୁଃଖଦାୟକ ସାବ୍ୟସ୍ତ ହୋଇଛି। ସେ ପ୍ରତିଦ୍ଵନ୍ଦ୍ଵୀ ବିଜଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ୧୯୧୬ ଖଣ୍ଡ ଭୋଟରେ ହାରିଯାଇଛନ୍ତି।

ପ୍ରମିଳାଙ୍କ ଉପରେ ପ୍ରସନ୍ନ ଭାଗ୍ୟଦେବୀ

ବାଚସ୍ପତି ଥାଇ ନିର୍ବାଚନ ଜିତିବା ଖୁବ୍ କମ ବିଧାୟକଙ୍କ ଭାଗ୍ୟରେ ରହିଛି। ନିରଞ୍ଜନ ପୂଜାରୀ ଓ ପ୍ରଦୀପ ଅମାତ କେବଳ ବାଚସ୍ପତି ଥାଇ ନିର୍ବାଚନ ଜିତିଥିଲେ। ବାକି ସମସ୍ତେ ପରାଜୟର ସ୍ଵାଦ ଚାଖିଥିଲେ। କିନ୍ତୁ ଜିତିବା ତାଲିକାରେ ନିଜକୁ ସାମିଲ କରିଛନ୍ତି ପ୍ରମିଳା ମଲ୍ଲିକ, ତାହା ପୁଣି ଖୁବ୍ କମ୍ ଭୋଟରେ। ବିଜେପି ପ୍ରାର୍ଥୀ ବବିତା ମଲ୍ଲିକଙ୍କୁ ମାତ୍ର ୨,୮୫୬ ଭୋଟରେ ହରାଇଛନ୍ତି ପ୍ରମିଳା।

ଏଥର ଯାଜପୁରର ବିଜେଡି ନେତାମାନେ ବହୁତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଫଳାଫଳ ଯାଇଛି। କିନ୍ତୁ ଭୋଟ ଗଣତି ଶେଷ ହେବା ଯାଏଁ ଆଶା ଆଶଙ୍କା ଦେଖିବାକୁ ମିଳିଥିଲା। ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କୁ ୨,୫୬୪ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ ସୁଜାତା ସାହୁ।

ବର୍ତ୍ତିଗଲେ କନକ ବର୍ଦ୍ଧନ

ଗତ ଥର ପାଟଣାଗଡ଼ରୁ ନିର୍ବାଚନ ହାରିଥିଲେ କନକ ବର୍ଦ୍ଧନ ସିଂ ଦେଓ। ଏଥର କିନ୍ତୁ ଭାଗ୍ୟଦେବୀ ତାଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି। ଭୋଟ ଗଣତି ଆରମ୍ଭରୁ ବ୍ୟବଧାନ କମ୍ ରହିବାରୁ ତାଙ୍କ ହୋସ୍ ଉଡ଼ାଇ ଦେଇଥିଲା। କିନ୍ତୁ ଶେଷରେ ସେ ୨୦୧୯ରେ ଜିତିଥିବା ବିଜେଡି ବିଧାୟକ ସରୋଜ ମେହେରଙ୍କୁ ମାତ୍ର ୧,୩୫୭ ଖଣ୍ଡ ଭୋଟରେ ହରାଇବାକୁ ସକ୍ଷମ ହେଲେ।

କ୍ୟାପଟେନଙ୍କ କଷ୍ଟକର ଅବତରଣ

ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିରାପଦ ଅବତରଣ କରିବା ବିଜେଡି ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ କଷ୍ଟକର ହୋଇଯାଇଥିଲା। କଳାହାଣ୍ଡିରେ ବିଜେଡି ବିପକ୍ଷରେ ଭୋଟ୍ ଯାଉଥିବା ବେଳେ ପ୍ରାରମ୍ଭରୁ ଦିବ୍ୟଶଙ୍କର ଆଶଙ୍କା ମଧ୍ୟରେ ରହିଥିଲେ। ଶେଷରେ କିନ୍ତୁ ବିଜେପି ପ୍ରାର୍ଥୀ ମନୋଜ କୁମାର ମେହେରଙ୍କୁ ୧,୩୩୮ ଖଣ୍ଡ ଭୋଟରେ ହରାଇ ତୃତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି ଦିବ୍ୟଶଙ୍କର।

ସେହିପରି ବାଲିଗୁଡ଼ା ଆସନରୁ ଚକ୍ରମଣି କହଁର କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କୁ ୧,୬୭୧ ଭୋଟରେ ହରାଇଛନ୍ତି। ଫୁଲବାଣୀ ଆସନରେ ବିଜେପି ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜେଡି ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ  ୨,୮୫୮ ଖଣ୍ଡ ଭୋଟରେ ହରାଇଛନ୍ତି। ବୌଦ୍ଧରେ ପ୍ରଦୀପ ଅମାତ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନଙ୍କଠାରୁ ୨,୭୬୫ ଭୋଟରେ ପରାଜିତ ହୋଇଛନ୍ତି।

ସେହିପରି ନିଆଳି ଆସନରେ ବିଜେପି ପ୍ରାର୍ଥୀ ଛବି ମଲ୍ଲିକ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ୧,୪୫୨ ଭୋଟ ବ୍ୟବଧାନରେ ହରାଇଛନ୍ତି। କୋରାପୁଟରେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜେଡି ପ୍ରାର୍ଥୀ ରଘୁରାମ ପୋଡ଼ାଲଙ୍କୁ ୨,୫୫୪ ଭୋଟରେ ହରାଇଥିବାବେଳେ ପଟାଙ୍ଗୀ ଆସନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀ ବିଜେପି ପ୍ରାର୍ଥୀ ରାମଚନ୍ଦ୍ର କଦମଙ୍କୁ ୧,୯୧୯ ଭୋଟରେ ହରାଇଛନ୍ତି।

Tags: #Politics #OdishaPolitics #OdishaAssemblyElections2024 #ElectionResult2024 #OdishaElection2024

LEAVE A REPLY

Please enter your comment!
Please enter your name here